ବାସ୍ତବବ୍ୟୁରୋ: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)କୁ ବନ୍ଦ କରାଯାଇଥିବା ପରିପେକ୍ଷୀରେ କେନ୍ଦ୍ର ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ଚିଠି ଲେଖିବା ସହ ଫୋନ୍ ଯୋଗେ କଥାବାର୍ତ୍ତା ମଧ୍ୟ କରିଛନ୍ତି। ଏ ସମ୍ଵଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀ ସିଂହଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ।ଟିଟିପିଏସ୍ ବନ୍ଦ ହେବ ନାହିଁ ଓ ଏହାର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ତ୍ବରାନ୍ବିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହ ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ ସେ ଶ୍ରୀ ସିଂହଙ୍କୁ ଅନୁରୋଧ କରିଛନ୍ତି।
ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟର ସଂପ୍ରସାରଣକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ସିଂହଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ ତାଙ୍କ ଚିଠିରେ ଲେଖିଛନ୍ତି କି ଓଡ଼ିଶାକୁ ଦୀର୍ଘ ୨୫ ବର୍ଷ ପାଇଁ ଶକ୍ତି ଯୋଗାଇବା ନିମନ୍ତେ ୨୦୧୦ରେ ଟିଟିପିଏସ୍ର ଷ୍ଟେଜ୍ -୩ ସମ୍ପ୍ରସାରଣ ଲାଗି ଏନ୍ଟିପିସି ପ୍ରସ୍ତାବ ଦେଇଥିଲା। ଏଥିରେ ମୋଟ ୧୩୨୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେବାର ରହିଛି। ଦୁଇଟି ଅତ୍ୟାଧୁନିକ ସୁପର କ୍ରିଟିକାଲ ପାୱାର ଷ୍ଟେସନ ଭାବରେ ୬୬୦ ମେଗାୱାଟର ଦୁଇଟି ୟୁନିଟ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଅକ୍ଟୋବର ୨୦୧୧ରେ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଏହାକୁ ସର୍ବବୃହତ ପ୍ରକଳ୍ପ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା। ଏଥିପାଇଁ ଏନଟିପିସି କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ଆନୁଷଙ୍ଗିକ ଅନୁମତି ପ୍ରଦାନ କରାଯାଇଥିଲା। ଏନଟିପିସି ଦ୍ୱାରା ଓଡିଶା ସରକାରଙ୍କ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପାଇଁ ୨୦୧୭ ଏପ୍ରିଲ ୧୮ରେ ଆବେଦନ କରାଯାଇଥିଲା ।
ଏକ ବୃହତ ପ୍ରକଳ୍ପ ହୋଇଥିବା କାରଣରୁ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ଅନୁମତି ଆବଶ୍ୟକତା ଥିଲା । ମାତ୍ର ଅନୁମୋଦନରେ ବିଳମ୍ବ କାରଣରୁ କେନ୍ଦ୍ରମନ୍ତ୍ରୀ ୨୦୧୮ସେପ୍ଟେମ୍ବର ୧୧ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପତ୍ର ଲେଖି ଏହି ପ୍ରକଳ୍ପକୁ ଶୀଘ୍ର ଅନୁମୋଦନ ଦେବାକୁ ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରିଥାନ୍ତେ । ମାତ୍ର ୨୦୨୦ ଫେବ୍ରୁଆରିରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଏହି ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ କରିଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ଜନସାଧାରଣଙ୍କ ଜୀବନଜୀବିକା ତଥା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଏହି ପ୍ରକଳ୍ପରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଶ୍ରୀ ସିଂହଙ୍କୁ ଅନୁରୋଧ କରିଛନ୍ତି।