ବାସ୍ତବବ୍ୟୁରୋ:କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାଇ, ରାଜ୍ୟବାସୀଙ୍କୁ ତାତିରୁ ମିଳିବ ତ୍ରାହି । ପ୍ରାୟ ୩ରୁ ୪ ଡିଗ୍ରୀ ସେଲସିୟସ୍ ପାରଦ ଖସିବାର ଅନୁମାନ କରାଯାଇଛି ।ରାଜ୍ୟରେ ଗରମ କମିଲେବି,ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ଯୋଗୁ ଗୁଳୁଗୁଳି ବଢ଼ିବ । ରାଜ୍ୟର ୧୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲେବି କୌଣସି ଅଞ୍ଚଳରେ ତାମମାତ୍ର ୪୩ ଡିଗ୍ରୀ ଛୁଇଁନଥିଲା । ଗୋଟିଏ ଦିନ ପୂର୍ବରୁ ବିଶ୍ୱର ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଛି |
ବୁଧବାର ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ଥିଲା ହେଲେ ଗୁରୁବାର ତାହା ୪୦ ଡିଗ୍ରୀ ତଳକୁ ଅର୍ଥାତ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି । ସମଗ୍ର ଉପକୂଳ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରୀରୁ କମ୍ ରହିଥିଲା । ପାଣିପାଗ ବିଭାଗର କହିବାନୁଯାଇ ,ଏବେ ସାମୟିକ ଭାବେ ଗ୍ରୀଷ୍ମ ଲହରୀ ଆଶଙ୍କା ନାହିଁ । ଶୁକ୍ରବାରଠାରୁ ପାରଦ କ୍ରମାଗତ ଭାବେ କମିବ । ଆସନ୍ତା ଦୁଇ ଦିନରେ ୩ରୁ ୪ ଡିଗ୍ରୀ ଖସିପାରେ । ଶୁକ୍ରବାର ଠାରୁ ରାଜ୍ୟରେ କାଳବୈଶାଖୀ ହେବ । ଶୁକ୍ରବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ଆଶଙ୍କା କରାଯାଇଛି । ୫ ତାରିଖ ପର୍ଯନ୍ତ ରାଜ୍ୟରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରାଯାଇଛି |