ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି କୌଣସି ସର୍ବଦଳୀୟ ବୈଠକ ଡାକିନାହାଁନ୍ତି ବୋଲି ମମତା କହିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କୁ ଏହି ଅପରେନ୍ର ପୁରା ତଥ୍ୟ ଦରକାର ।
ବମ୍ କେଉଁଠି ପଡ଼ିଛି ? କେବେ ପଡ଼ିଛି ? ଆଉ କେତେ ଲୋକ ମରିଛନ୍ତି ? ତାହା ଜଣିବାକୁ ସେ ଇଚ୍ଛୁକ ଅଛନ୍ତି । ତାଛଡ଼ା ସେ ମଧ୍ୟ କହିଛନ୍ତି କିଛି ବୈଦେଶିକ ମିଡ଼ିଆଙ୍କ ତଥ୍ୟ ଅନୁସାରେ କୌଣସି ଲୋକ ମରିନାହାଁନ୍ତି । ଏବଂ କିଛି ରିପୋର୍ଟ ଅନୁସାରେ ଜଣେ ଯବାନ ମରିଛନ୍ତି । ତେଣୁ ପ୍ରକୃତରେ ତାଙ୍କୁ ସଠିକ୍ ସୂଚନା ଆବଶ୍ୟକ ବୋଲି ମମତା କହିଛନ୍ତି । ସୂଚନା ଅନୁଯାୟୀ ଭାରତୀୟ ବାୟୁ ସେନାର ଆକ୍ରମଣରେ ପାକିସ୍ତାନର ବାଲାକୋଟ, ଚକଟି, ମୁଜଫରାବାଦରେ ଥିବା ଆତଙ୍କୀ ଆଡ୍ଡା ସହ ଜୈସ-ଏ-ମହମ୍ମଦର ଆଲଫା-୩ କଣ୍ଟ୍ରୋଲ ରୁମ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏବଂ ଏହି ଆକ୍ରମଣରେ ୨୦୦-୩୦୦ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ତେଣୁ ଏହି ଖବର ସମ୍ପର୍କରେ ମମତା ଭାରତ ସରକାରଙ୍କୁ ସଂପୂର୍ଣ୍ଣ ସୂଚନା ମାଗିଛନ୍ତି।