ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୮୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୪୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୪୪୮୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍ ୨୦୨୧କୁ ସ୍ଥଗିତ ରଖାଯାଇଛି । ନେସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରବିବାର JEE ସ୍ଥଗିତ ହେବା ନେଇ ସୂଚନା ଦିଆଯାଇଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଏହା ସହିତ ପରୀକ୍ଷାର ପୁନଶ୍ଚ ତାରିଖ ୧୫ ଦିନ ପୂର୍ବରୁ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଆଜି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ପୂର୍ବ ନିଷ୍ପତି ଅନୁଯାୟୀ ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି । ଅଗ୍ନିଶମ ବାହିନୀ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ରବିବାର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ ୨ ବର୍ଷ ହେବ ଯକୃତ ଜନିତ ରୋଗରେ ପୀଡିତ ଥିଲେ ।
ଗତ କାଲି ବଲିଉଡ୍ ର ସୋନୁ ସୁଦ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଅର୍ଜୁନ ରାମପାଲ, ନୀଲ ନିତିନ ମୁକେଶ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।
ଛତିଶଗଡ଼ର ରାୟପୁରର ପଚପେଡି ନାକା ନିକଟରେ ଥିବା କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ରାଜଧାନୀ ହସ୍ପିଟାଲରେ ନିଆଁ ଲାଗି ୫ ରୋଗୀଙ୍କର ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଛନ୍ତି । ମୁଖ୍ୟତଃ ଏହି ହସ୍ପିଟାଲରେ କରୋନା ରୋଗୀମାନଙ୍କୁ ମଧ୍ୟ ଭର୍ତ୍ତି କରାଯାଇଥିଲା ।
ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଜଣେ ନର୍ସଙ୍କୁ ପୁଲିସ୍ ଫ୍ଲରିଡାରୁ ଗିରଫ କରିଛି। କମଳା ହାରିସଙ୍କୁ ହତ୍ୟା ଧମକ ମିଳିବା ପରେ ଆମେରିକା ସିକ୍ରେଟ ସର୍ଭିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।