ଆଜିଠୁ ସାରା ରାଜ୍ୟର ସବୁ ସହରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ । ଆଜି ସକାଳ ୫ଟା ଠାରୁ ସୋମବାର ସକାଳ ଯାଏ ବଳବତ୍ତର ରହିବ ସଟଡାଉନ୍ କଟକଣା । ତେବେ ଏହି ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ । ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କଟକଣା ମୁକ୍ତ ରହିବ । ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିତରଣ, ମାଲପରିବହନକୁ କଟକଣା ରୁ ବାଦ ଦିଆଯାଇଛି ।
ଝାରସୁଗୁଡା ଜିଲ୍ଲାର ସାହାସପୁର ପଂଚାୟତକୁ ୫ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ସରପଞ୍ଚ ଜିତେନ୍ଦ୍ର ରଣା । ସାହାସପୁର ସମେତ ପାକେଲପଡା ଓ କୁଲେମୁରା ପଂଚାୟତରେ ଦୈନିକ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୩୦୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୫୬୦୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଶୁକ୍ରବାର ଦିନ ଓଡିଶାରୁ ଦିଲ୍ଲୀ, ବିଶାଖାପାଟଣା ଓ ପୁଣେ ଅଭିମୁଖେ ଅକ୍ସିଜେନ୍ ଟ୍ୟାଙ୍କର ଯାଇଥିବା ବେଳେ ଶନିବାର ପୁଣି ଥରେ ୨ଟି ଅକ୍ସିଜେନ୍ ବୋଝେଇ ସିଲିଣ୍ଡର ଗାଡି ହାଇଦ୍ରାବାଦ ଆଉ ବିଶାଖାପାଟଣାକୁ ଯାଇଛି । ପାଖାପାଖି ଦୁଇଟି ଗାଡ଼ିରେ ୪୪ ଟନ ଅକ୍ସିଜେନ୍ ଯାଇଥିବା ସୂଚନା ମିଳିଛି। ଦୁଇଟି ଗାଡିକୁ ଏସ୍କର୍ଟ ଗାଡି ଆଗପଛ ଗ୍ରୀନ୍ କରିଡର କରି ନେଉଛନ୍ତି ।
ଦିଗଜ ଅଭିନେତା ତଥା ଫିଲ୍ମ ନିର୍ମାତା ଲଲିତ ବେହଲଙ୍କ କରୋନାରେ ଦେହାନ୍ତ ହୋଇଛି । ଗତ ସପ୍ତାହରେ ୭୧ ବର୍ଷିୟ ଲଲିତ କୋଭିଡ ୧୯ ରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଥିଲେ । ଗତକାଲି ଶୁକ୍ରବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ବିଶାଖାପାଟଣାମରୁ ମହାରାଷ୍ଟ୍ରରେ ଅଭିମୁଖେ ଦେଶର ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ । ୩ ଟି ଟ୍ୟାଙ୍କରକୁ ନେଇ ଶୁକ୍ରବାର ଯାତ୍ରା ଆରମ୍ଭ କରିଥିଲା ଏହି ଏକ୍ସପ୍ରେସ୍ । ଆସନ୍ତାକାଲି ଅର୍ଥାତ ରବିବାର ଏକ୍ସପ୍ରେସ ନାସିକ ରୋଡ ଷ୍ଟେସନରେ ପହଞ୍ଚିବ । ଆଜି ନାଗପୁର ରୋଡରେ କିଛି ଟ୍ୟାଙ୍କରକୁ ରଖାଯାଇଥିଲା । ଅବଶିଷ୍ଟ କାଲି ମହାରାଷ୍ଟ୍ରରେ ପହଞ୍ଚିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଗୃହମନ୍ତ୍ରୀ ଅମିତ ଶାହ କରୋନା ବିପକ୍ଷ ଲଢେଇର ମୋର୍ଚ୍ଚା ସମ୍ଭାଳିଛନ୍ତି । ଏହାସହ ସେ ଶୁକ୍ରବାର କରୋନା ସ୍ଥିତିକୁ ନେଇ ସମୀକ୍ଷା କରିବା ସହ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ. ଭି. ରାମଣା ଶପଥ ଗ୍ରହଣ କରିବେ । ଦେଶର 48ତମ ପ୍ରଧାନ ବିଚାରପତି ଭାବେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇବେ । ସେ ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ ।
କରୋନା ଭାଇରସ୍ ମହାମାରୀର ୨ୟ ଲହର ଜାରି ଥିବା ବେଳେ ଭାରତକୁ ଆମେରିକା ଏବଂ ବ୍ରିଟେନ ସହଯୋଗ କରିବେ । ହ୍ୱାଇଟ ହାଉସ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଆମେରିକା କୋଭିଡ-୧୯ ସଂକଟରୁ ନିସ୍ତାର ପାଇବା ଲାଗି ଭାରତର ସହଯୋଗ କରିବା ଶୈଳୀ ଜାଣିବା ଲାଗି ଏକ ସାଥୀରେ କାମ କରୁଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ, ସେ ଦେଖୁଛନ୍ତି ଯେ ଭାରତକୁ କେମିତି ସହଯୋଗ କରାଯାଇପାରିବ। ଜନସନ କହିଛନ୍ତି ଯେ କରୋନା ମହାମାରୀର ନୂଆ ଲହର ମାରାତ୍ମକ. ସାଧାରଣସ୍ତରରେ ଏହାର ପ୍ରଭାବ ପଡ଼ିଛି ।
ମାଉଣ୍ଟ ଏଭରେଷ୍ଟର ବେସ ଶିବିରରେ ରହୁଥିବା ଜଣେ ପର୍ବତାରୋହୀ କରୋନା ରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବ୍ରିଟେନରେ ହୋଇଥିବା ୨ଟି ଅଧ୍ୟୟନରୁ ଜଣାଯାଇଛି ଯେ, ଟିକାର ପ୍ରଥମ ଡୋଜ ନେବା ପରେ ସଂକ୍ରମଣର ମାତ୍ରା ହାଇଥାଏ । ବୈଜ୍ଞାନିକମାନେ ବ୍ରିଟେନରେ ବ୍ୟବହାର କରାଯାଉଥିବା ଅକ୍ସଫୋର୍ଡ / ଆଷ୍ଟ୍ରାଜେନିକା ଅଥବା ଫାଇଜର / ବାଓଟେକ ଟିକାକୁ ନିଜର ଗବେଷଣାରେ ସାମିଲ କରିଥିଲେ । ଏହି ଅଧ୍ୟୟନରୁ ଜଣାଯାଇଛି ଯେ, ଟିକାର ପ୍ରଥମ ଡୋଜ ନେବା ପରେ ସଂକ୍ରମଣଜନିତ ବିପଦ ୬୫ ପ୍ରତିଶତ ହ୍ରାସ ପାଇଥାଏ ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୪ କୋଟି ୬୨ ଲକ୍ଷ ୧ ହଜାର ୯୬୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୦ ଲକ୍ଷ ୯୮ ହଜାର ୩୦୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୨ କୋଟି ୪୩ ଲକ୍ଷ ୮ ହଜାର ୬୧୯ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୭ ଲକ୍ଷ ୯୫ ହଜାର ୩୫ ଜଣ ଲୋକ ସକ୍ରିୟ ଅଛନ୍ତି ।



