ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୬୨୬୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୪୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୯୧୦୪୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଠମଲ୍ଲିକ NACରେ କରେନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ ।
ଆସନ୍ତା ମେ ମାସ ୧୫ ତାରିଖ ଯାଏ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ରହ୍ମଗିରି ତହସିଲଦାରଙ୍କ ପକ୍ଷରୁ ଶ୍ରୀଅଲାରନାଥ ପୀଠ ଓ ମା’ ବାଲିହରଚଣ୍ଡୀଙ୍କ ପୀଠ ସହିତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ପାଇଁ ନୋଟିସ୍ କରାଯାଇଥିବା ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡ଼ାଇ କହିଛନ୍ତି। ଅନ୍ୟପଟେ ଶ୍ରୀଅଲାରନାଥ ଓ ମା’ବାଲିହରଚଣ୍ଡୀଙ୍କ ନୀତିକାନ୍ତି ନିର୍ଦ୍ଦିଷ୍ଟ ସେବାୟତଙ୍କ ଦ୍ବାରା ସମ୍ପାଦିତ ହେବ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତେଣୁ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ଝଡବର୍ଷା ସହ କୁଆପଥର ମାଡ଼। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ।
ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ବାଭାବିକ ବସ୍ ଚଳାଚଳ ସମ୍ଭବ ନୁହେଁ। କୋଭିଡ୍ କଟକଣା ଯୋଗୁଁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ରହିଛି।ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଯୋଗୁଁ ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଯାତ୍ରୀ ପରିବହନ ସେବା କ୍ଷେତ୍ରକୁ ଵଞ୍ଚାଇ ରଖିବା ପାଇଁ ଵସ୍ ଗୁଡିକର ଇଏମ୍ଆଇ ତିନି ମାସ ପାଇଁ ବନ୍ଦ ରଖିଵାକୁ ଵ୍ୟାଙ୍କ ଗୁଡିକୁ ସରକାର ନିର୍ଦ୍ଦେଶ ଦେଵା ପାଇଁ ନିଵେଦନ କରିଛି ଵସ୍ ମାଲିକ ସଂଘ ।
ଆଜି(ରବିବାର) ହେଉଛି ସପ୍ତାହାନ୍ତ ସଟଡାଉନ୍ର ଦ୍ୱିତୀୟ ଦିନ । ଶୁକ୍ରବାର ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶନିବାର ଭଳି ରବିବାର ମଧ୍ୟ ସଟଡାଉନ୍ ବେଳେ କଟକଣାକୁ କଡାକଡି କରାଯାଇଛି ।
ଆଜି(ରବିବାର) ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୯.୩୦ରେ ମୋଦି ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରୁଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅମ୍ଳଜାନ ଏବଂ ଔଷଧର ଉପଲବ୍ଧତା ବିଷୟରେ ସମୀକ୍ଷା କରାଯିବ ।
ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଓ ଆସାମ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଭୋଟ ଗଣତି ହୋଇଛି ।
ଆସାମରେ ଆଗରେ ବିଜେପି । ଏବେସୁଦ୍ଧା ଗଣତି ଚାଲିଥିବା ୧୦୩ଟି ଆସନରେ ବିଜେପି ୬୩ ଓ କଂଗ୍ରେସ ୪୦ଟି ଆସନରେ ଆଗୁଆ ରହିଛି ।
ମହାରାଷ୍ଟ୍ରବାସୀଙ୍କୁ ସହଯୋଗ କରିଛନ୍ତି ମହାନ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର । ଏଠାକାର ସରକାରଙ୍କୁ ରିଲିଫ ଫଣ୍ଡକୁ ୭ ଲକ୍ଷ ଅର୍ଥରାଶି ଦାନ କରିଛନ୍ତି ଲତା ମଙ୍ଗେସକର ।
ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର । ପ୍ରତିଥର ରୁଟିନ ଚେକଅପ୍ ପାଇଁ ସେ ହିନ୍ଦୁଜା ହସ୍ପିଟାଲ ଆସନ୍ତି ।
ଜୁନ୍ ୨୦ ସୁଦ୍ଧା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଗାଇଡଲାଇନ୍ ଜାରି କରିଛି ସିବିଏସଇ । ଗାଇଡଲାଇନ୍ ଅନୁସାରେ ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ । ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ନିର୍ଦ୍ଧାରଣ ହେବ ।
ତୃତୀୟ ଥର ପାଇଁ ପୁଣି ଭୁକମ୍ପରେ ଥରିଲା ଆସାମ । ୫ ଦିନ ମଧ୍ୟରେ ତିନିରୁ ଅଧିକ ଥରର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଶନିବାର ସନ୍ଧ୍ୟାରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆସାମର ତେଜ୍ପୁରରେ ଏହି ଝଟ୍କା ଅନୁଭବ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତିବ୍ରତା ୩.୩ ମପାଯାଇଛି ।



