ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୫୪୪୮୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୭୬୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୪୭୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ କରୋନାର ଗୋଷ୍ଠୀ ସଂକ୍ରମଣର ସମସ୍ତ ଲକ୍ଷଣ ଦେଖା ଯାଉଛି । କିନ୍ତୁ ପ୍ରମାଣଯୋଗ୍ୟ ତଥ୍ୟ ମିଳି ନାହିଁ : ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା କମିଟିର ମୁଖ୍ୟ ଵୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୧୯ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବରଗଡ଼, ସମ୍ବଲପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ରହିଛି ।
ଦିଲ୍ଲୀର ସରୋଜ ହସ୍ପିଟାଲ ଏବେ କରୋନାର ହଟସ୍ପଟ ପାଲଟିଛି । ଏଠାରେ ଏ ପର୍ଯ୍ୟନ୍ତ ପାଖାପାଖି ୮୦ ଡାକ୍ତର ସଂକ୍ରମିତ ହେଲେଣି ।
ମିଲିଟାରୀ ମେଡିକାଲ କର୍ପସ (ଏମସି) ଏବଂ ସର୍ଟ ସର୍ଭିସ କମିଶନ (ଏସଏସସି) ର ୪୦୦ ଅବସରପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତି ପାଇଁ ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (ଏଫଏମଏସ) କୁ ନିର୍ଦ୍ଦେଶ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।
ଆସାମ ର ନଗାଁଓରେ ଆଜି (ସୋମବାର) ସକାଳ ୭ଟା ୫ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୩.୦ ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠୁ କମ୍ ତାପମାତ୍ରା ରହି । ୧୩ ତାରିଖରେ ଦକ୍ଷିଣ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୫ ସୁଦ୍ଧା ଲଘୁଚାପ ରୂପ ନେବ । ଯାହା ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଭାରତକୁ ନ ଆସି ଆଫ୍ରିକା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ।
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ କରୋନାର ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତି । ଏହା ବ୍ୟତୀତ ସେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଚାଲୁଥିବା କୋଭିଡ କେନ୍ଦ୍ର ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଅମିତାଭ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଭାରତକୁ ସାହାଯ୍ୟ କରିବାକୁ ନିବେଦନ କରୁଥିବା ଦେଖାଯାଉଛି।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ଯେ, ଭାରତୀୟ କ୍ରିକେଟ ଟିମ ନିଜର ଶୀର୍ଷ ସ୍ତରରେ ଖେଳାଳିଙ୍କ ଅନୁପସ୍ଥିତିରେ ଆଗାମୀ ଜୁଲାଇରେ ସୀମତି ଓଭର କ୍ରିକେଟ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା ଭଳି ବରିଷ୍ଠ ଖେଳାଳି ଏହି ଗସ୍ତରେ ସାମିଲ ହେବେ ନାହିଁ ।
ଭାରତରେ ବର୍ତ୍ତମାନର କରୋନା ସଙ୍କଟରୁ ବାହାରିବାର ଏକମାତ୍ର ସମାଧାନ ବ୍ୟାପକ ଟିକାକରଣ । ସମସ୍ତ ଲୋକଙ୍କୁ ଟିକାକରଣ ହେଉଛି ସଙ୍କଟକୁ ଦୂର କରିବା ପାଇଁ ଏକମାତ୍ର ଦୀର୍ଘକାଳୀନ ସମାଧାନ : ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉଚି ।
ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୫ କୋଟି ୮୯ ଲକ୍ଷ ୫୨ ହଜାର ୭୮୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୬ ହଜାର ୨୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୩ କୋଟି ୭୩ ଲକ୍ଷ ୭୮ ହଜାର ୪୭୭ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୨ ଲକ୍ଷ ୬୮ ହଜାର ୮୩ ଜଣ ଲୋକ ସକ୍ରିୟ ଅଛନ୍ତି ।
ଚୀନ୍ ନୈତିକ ଦାୟିତ୍ବ ବହନ କରିବାରେ ବିଫଳ ହୋଇଛି : ‘ନ୍ୟାସ୍ନାଲ୍ ଏରୋନଟିକ୍ସ୍ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍’ (ନାସା) । ମହାକାଶ ଆବର୍ଜନା ପରିଚାଳନାରେ ଚୀନ୍ ଦାୟିତ୍ବବାନ ହୋଇ ପାରୁ ନ ଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଆମର ମହାକାଶୀୟ କାର୍ଯ୍ୟକଳାପର ନିରାପତ୍ତା, ସ୍ଥାୟୀତ୍ବ, ସୁରକ୍ଷା ଏବଂ ଦୀର୍ଘାୟୁଷ ନିମନ୍ତେ ଚୀନ୍ ତଥା ସମସ୍ତ ମହାକାଶ-ଉତ୍କ୍ଷେପଣକାରୀ ଦେଶ ଏବଂ ସଂସ୍ଥାନ ଦାୟିତ୍ବବାନ ଏବଂ ସୁସ୍ପଷ୍ଟ ଭାବେ କାର୍ଯ୍ୟ କରିବା ଉଚିତ। ।
ଭାରତରେ କରୋନା ସଂକ୍ରମଣ ସ୍ଥିତି ଭୟାବହ ରହିଛି ଏବଂ ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି : ୟୁନିସେଫ୍ (ଜାତିସଂଘ ଶିଶୁ ପାଣ୍ଠି) । ଭାରତରେ ସଂକ୍ରମଣ ଜଙ୍ଗଲର ନିଆଁ ଭଳି ବ୍ୟାପୁଥିବାରୁ ଅନ୍ୟ ସମସ୍ତ ପ୍ରମୁଖ ରାଷ୍ଟ୍ର ଭାରତକୁ ସହାୟତାର ହାତ ବଢ଼ାଇବାକୁ ୟୁନିସେଫ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଟା ଫୋର୍ କହିଛନ୍ତି।
ସ୍ପେନରେ ହଟିଛି କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଲୋକେ ରାତିରେ ନାଚ ଗୀତ ସହ ରାସ୍ତା ଉପରେ ସେଲିବ୍ରେସନ କରିଛନ୍ତି ।
ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶନିବାର ଦିନ ବାଳିକା ବିଦ୍ୟାଳୟ ନିକଟରେ ଲଗାତାର ତିନୋଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି ।