ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୮୨୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୬୫୧୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ପୁରୀ ଜିଲ୍ଲା କଣାସ ବଜାର ସମେତ କଣାସ ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ଛତିଶାନିଯୋଗ ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚନ୍ଦନଯାତ୍ରାର ସିଧା ପ୍ରସାରଣର ସୁବିଧା ଉପଲବ୍ଧ ହେବ । ଭକ୍ତମାନେ ଘରେ ରହି ସିଧା ପ୍ରସାରଣ ଦେଖିପାରିବେ ।
ଅଲ ଓଡିଶା ଲୋୟର ମାଧ୍ୟମିକ ଶିକ୍ଷକ ସଂଘ (ଅଲୋସ୍ତା) ନିମ୍ନ ମାଧ୍ୟମିକ ଶିକ୍ଷକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଭାବରେ ଘୋଷଣା କରିବାକୁ ଦାବି କରିଛି।
ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଏହା ବିରଳ ଘଟଣା। ଗତକାଲି କାଳବୈଶାଖୀ ଜନିତ ପବନ ଓ ବର୍ଷାରେ ଶ୍ରୀମନ୍ଦିରର ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା । ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ୱଜା ବା ନୀଳଚକ୍ର ବାନା ପରିର୍ତ୍ତନ କରିବାପାଇଁ ଶ୍ରୀମନ୍ଦିର ଚୂଡ଼ାରେ ପହଞ୍ଚିଲେ ସେତେବେଳେ ଶୂନ୍ୟରେ ବାନା ଗୁଡ଼ାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିଥିଲେ ।
ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଟ୍ୱିନ୍ ସିଟି କମିଶନର ପୋଲିସ ଏକ ହେଲ୍ପଲାଇନ ଜାରି କରିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ହେଲ୍ପଲାଇନ ନମ୍ବର ହେଉଛି ୮୦୯୩୦୨୮୧୦୦ । ପ୍ରିୟଦର୍ଶୀ ଆହୁରି କହିଛନ୍ତି ଯେ ପ୍ରାୟ ୨୫ , ୦୦୦ ବରିଷ୍ଠ ନାଗରିକ ନିଜକୁ ପୋଲିସ କମିଶନରେଟରେ ପଞ୍ଜୀକୃତ ଅଛନ୍ତି ।
ଯେଉଁମାନେ କରୋନାରେ ସଂକ୍ରମିତ ହୋଇଥିବେ ହେଲେ ଗୁରୁତର ହେବାର ସମ୍ଭାବନା ଥିବ ସେମାନଙ୍କ କ୍ଷେତ୍ରରେ ‘ଭିରାଫିନ୍’ ଔଷଧ ବ୍ୟବହାର କରି ହେବ । ଡୋଜ ପିଛା ଏହି ଭିରାଫିନର ଦାମ ୧୧,୯୯୫ ଟଙ୍କା ରହିଛି । ତିନୋଟି ଡୋଜ ଜଣେ ଆକ୍ରାନ୍ତ ନେବେ ବୋଲି ଜଣାପଡ଼ିଛି।
ହୁମା କ୍ୟୁରେଶି ‘ସେଭ୍ ଦ ଚିଲଡ୍ରେନ୍’ ଏନଜିଓର ସାହାଯ୍ୟ ନେଇ ଦିଲ୍ଲୀରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ହୁମା ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜ୍ୟାକ୍ ସ୍ନାଇଡର୍ ମଧ୍ୟ ଯୋଗ ଦେଇଛନ୍ତି।
ବିଦେଶରୁ ଆମଦାନି ହେବ ୫,୮୦୫ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ । ୩୪୪୦ ମେଟ୍ରିକ୍ ଟନ୍ ସଂଯୁକ୍ତ ଆରବ ଏମିରେଟ୍, ୧୫୦୫ ମେଟ୍ରିକ୍ ଟନ୍ କୁଏତ୍, ୬୦୦ ମେଟ୍ରିକ୍ ଟନ୍ ଫ୍ରାନ୍ସ୍, ୨୦୦ ମେଟ୍ରିକ୍ ଟନ୍ ସିଙ୍ଗାପୁର ଏବଂ ୬୦ ମେଟ୍ରିକ୍ ଟନ୍ ବାହାରିନ୍ରୁ ଆସିବ: ଗୃହ ବ୍ୟାପାର ମନ୍ତ୍ରାଳୟ ।
ବିଶ୍ବର ୪୪ଟି ଦେଶରେ ଗୁଣସୂତ୍ର କ୍ରମ-ପରିବର୍ତ୍ତିତ ଭାରତୀୟ ପ୍ରଜାତିର କୋଭିଡ୍-୧୯( ‘ବି.୧.୬୧୭’) ଭୂତାଣୁ ଚିହ୍ନଟ ହୋଇଛି : ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୬ କୋଟି ୩ ଲକ୍ଷ ୨ ହଜାର ୯୧୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୩୦ ହଜାର ୨୯୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୩ କୋଟି ୯୦ ଲକ୍ଷ ୧୮ ହଜାର ୯୭୬ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୯ ଲକ୍ଷ ୬୮ ହଜାର ୫୩ ଜଣ ଲୋକ ସକ୍ରିୟ ଅଛନ୍ତି ।