ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨୧ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୩୩୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୫୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୨୬୩୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ପଲେଇ ପଂଚାୟତରେ ମାଙ୍କଡ଼ କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି ।
ସମ୍ ହସ୍ପିଟାଲ ସହଯୋଗରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ସ୍ୱତନ୍ତ୍ର କୋଭିଡ୍ ଡାକ୍ତରଖାନା ନିର୍ମାଣ ଚାଲିଛି । ଆସନ୍ତା ୧୯ ତାରିଖରେ ଏହି ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରାଯିବ ।
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଟିକାକରଣ ପାଇଁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକ ଫୋନ କରି ଟିକା ନେବା ନିମନ୍ତେ ସ୍ଲଟ୍ ନିଶ୍ଚିତ କରିପାରିବେ । ଏହି ସେବା ସକାଳ ୮ଟାରୁ ରାତ୍ର ୧୦ଟା ପର୍ୟ୍ୟନ୍ତ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି ।
କ୍ରିକେଟ୍ ଇନ୍ ଇଣ୍ଡିଆ ବୋର୍ଡ (ବିସିସିଆଇ) ଭାରତର ପୂର୍ବତନ ଓପନର୍ ତଥା ଓଡିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ସିନିୟର ଇଣ୍ଡିଆ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ଭାବରେ ନିଯୁକ୍ତି ମିଳିଛି ।
ଭୁବନେଶ୍ବରରେ ହେବାକୁ ଥିବା ହକି ପ୍ରୋ ଲିଗ୍ ସ୍ଥଗିତ ହୋଇଛି । ଆସନ୍ତା ୨୯ ଓ ୩୦ ତାରିଖରେ ଭାରତୀୟ ହକି ଦଳ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଦୁଇଟି ମ୍ୟାଚ୍ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାର ସୂଚୀ ରହିଥିଲା । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଦଳ ଓଡିଶା ଗସ୍ତ ପାଇଁ ମନା କରିଦେଇଛନ୍ତି ।
କରୋନା ମହାମାରୀର ଦ୍ବିତୀୟ ଲହର ଜାରି ରହିଥିବାରୁ ଦୁଇଚକିଆ ଯାନ କମ୍ପାନୀ ସେମାନଙ୍କ ଗାଡିର ମାଗଣା ସର୍ଭିସିଂ ଅବଧି ସହିତ ୱାରେଣ୍ଟି ଅବଧି ବୃଦ୍ଧି କରିଛନ୍ତି ।
କେନ୍ଦ୍ର ସରକାରଙ୍କ ୨୦ ହଜାର କୋଟି ଟଙ୍କାର ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିସ୍ତାକୁ ପୂରଣ କରିବା ପାଇଁ ଦିଲ୍ଲୀର ୩ଟି ଐତିହାସିକ କୋଠା ଭଙ୍ଗାଯିବ। ଭଙ୍ଗାଯିବାକୁ ଏହି ୩ କୋଠା ହେଲା- ଜାତୀୟ ସଂଗ୍ରାହଳୟ, ଇନ୍ଦିରା ଗାନ୍ଧି ନ୍ୟାଶନାଲ ସେଣ୍ଟର ଫର ଆର୍ଟସ (ଆଇଜିଏନସିଏ) ଏବଂ ନ୍ୟାଶନାଲ ଆରକ୍ରାଇଭ୍ସ ଆନେକ୍ସ-ଏମ୍ବଲମେଟିକ ଅଫ ହିଷ୍ଟ୍ରୀ ଓ କଲଚର। ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପରେ ନୂଆ ସଂସଦ ଭବନ, ପ୍ରଧାନମନ୍ତ୍ରୀ ଓ ଉପ ରାଷ୍ଟ୍ରପତିଙ୍କ ନୂଆ ବାସଭବନ ତିଆରି କରାଯାଉଛି।
ସାଗର ଧନଖଡ଼ ହତ୍ୟା ମାମଲାରେ ଫେରାର ଅଲିମ୍ପିଆନ୍ ସୁଶିଲ କୁମାର ଆତ୍ମ ସମର୍ପଣ ପାଇଁ ଚିନ୍ତା କରୁଛନ୍ତି । ସେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରର କୌଣସି କୋର୍ଟରେ ଆତ୍ମ ସମର୍ପଣ କରିପାରନ୍ତି ।
AIIMS ଏବଂ ICMR ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ । କୋଭିଡ ଚିକିତ୍ସାରୁ ପ୍ଲାଜମା ଥେରାପିକୁ ବାଦ୍ ଦିଆଯାଇଛି । ପ୍ଲାଜମା ଥେରାପି ମହଙ୍ଗା ଏବଂ ଭୟ ସୃଷ୍ଟି କରୁଛି । ଏହା ରୋଗୀଙ୍କୁ ସହାୟ ହେଉନଥିବାବେଳେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ବୋଝ ହେଉଛି ।
ଆଜି ଭର୍ଚୁଆଲ୍ ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ନୂତନ ଶିକ୍ଷା ନୀତିର ଯୋଜନା ଏବଂ କାର୍ଯ୍ୟକାରିତା ବିଷୟରେ ମଧ୍ୟ ଆଲୋଚନା କରିବେ ।
ଚାମୋଲିରେ ଅବସ୍ଥିତ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ମଙ୍ଗଳବାର ସକାଳ ୪.୩୦ ଅର୍ଥାତ୍ ବ୍ରହ୍ମ ମୂହୂର୍ତ୍ତରେ ବିନା ଭକ୍ତରେ ଖୋଲିଛି । କୋଭିଡ ଗାଇଡଲାଇନ ମାନି ନିୟମ ଅନୁସରଣ କରି, ମନ୍ଦିର କବାଟ ଖୋଲିଥିଲା । କେବଳ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଖୋଲିଥିଲା ବାବାଙ୍କ ଦ୍ୱାର ।
ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରରେ ଜଣଙ୍କୁ ଚାକିରୀ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୬ କୋଟି ୪୨ ଲକ୍ଷ ୫୫ ହଜାର ୪୮୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୪ ଲକ୍ଷ ୩ ହଜାର ୭୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୪୧ ଲକ୍ଷ ୬୭ ହଜାର ୯୬୧ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୬୬ ଲକ୍ଷ ୮୩ ହଜାର ୮୦୫ ଜଣ ଲୋକ ସକ୍ରିୟ ଅଛନ୍ତି ।