
ବାସ୍ତବବ୍ୟୁରୋ:(ଭଦ୍ରକ) ୧୯୭୧ ର ମହାବାତ୍ୟାକୁ ସାମ୍ନା କରିଥିବା କୋମଳମତି ଛଅ ବର୍ଷର ଶିଶୁଟି ଆଜି ଭାରତର ପ୍ରତି କୋଣେ ଅନୁକୋଣେ ବାତ୍ୟା ମାନବ ବା ସାଇକ୍ଲୋନ ମ୍ୟାନ୍ ଭାବେ ପରିଚିତ। ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱରରେ ଏକ ଅଭାବି ପରିବାରରେ ଜନ୍ମ ଗ୍ରହଣକରିଥିଲେ ସାଇକ୍ଲୋନ ମ୍ୟାନ୍ | ୧୯୭୧ ମହାବାତ୍ୟାର କରାଳ ରୂପ ସେଦିନ ସେହି ଶିଶୁର ହୃଦୟରେ ଆଙ୍କି ଦେଇଥିଲା ଏକ ଗଭୀର ରେଖା। ସେତେବେଳେ ତାଙ୍କ ବାପା ଥିଲେ ତାଙ୍କ ଗାଁର ୱାର୍ଡ ମେମ୍ବର। ବାତ୍ୟା ସମୟରେ ଗାଁର ଲୋକ ମାନଙ୍କୁ ଘରର ଆଟୁ(ମାଣ୍ଟୁ) ଉପରକୁ ଚାଲିଯିବା ପାଇଁ ଆକୁଳ ନିବେଦନ କରିଥିଲେ। ତାଙ୍କ ଗାଁରେ ଥିଲା ମାତ୍ର ତିନୋଟି ଆଟୁ ଘର। ପ୍ରାୟ ଦୁଇ ଶହ ଲୋକ ଆଟୁ ଉପରେ ରହି ନିଜ ଜୀବନ ରକ୍ଷା କରି ପାରିଥିଲେ।
ଅବଶ୍ୟ ସେଦିନର ବାତ୍ୟା ଆଜିକାଲିର ବାତ୍ୟା ପରି ଏତେ ଭୟାନକ ନଥିଲା।ବାତ୍ୟାର ପ୍ରକୋପ ଥମିଗଲା ପରେ ସେଦିନ ପଖାଳ ଆଉ ସଜନା ଶାଗର ଭଜା ଖାଇ ନିଜ ଭୋକ ମେଣ୍ଟାଇଥିବା ଅଭାବି ପରିବାରର ସେହି ନିର୍ବୋଧ ଶିଶୁଟିର ମନ ଭାରତୀୟ ପାଣିପାଗର ଉତ୍ପତ୍ତି,ସ୍ଥିତି ଆଉ ବିତ୍ପତ୍ତି ବିଷୟରେ ଜାଣିବା ପାଇଁ ବ୍ୟାକୁଳ ହୋଇ ଉଠିଥିଲା। କିନ୍ତୁ ଆର୍ଥିକ ଅନାଟନ ଭିତରେ କାଳାତିପାତ କରୁଥିବା ସେହି ପରିବାରରେ ଦୃଢ଼ ସଂକଳ୍ପମନା ଅବୋଧ ଛଅ ବର୍ଷର ଶିଶୁ ସ୍ୱପ୍ନ ଦେଖିବାରେ କେବେ ବି କାର୍ପଣ୍ୟ କରି ନଥିଲା।
ପ୍ରତିଦିନ ନୂଆ ନୂଆ ସ୍ୱପ୍ନର ଜୁଆର ସବୁ ସମୁଦ୍ରର ଢେଉ ପରି ତା ମନ ଭିତରେ ମଥା ପାତି ପୁଣି ଫେରି ଯାଉଥିଲେ ଚିନ୍ତନ ଦୁନିଆଁର ସେହି ଅତଳ ଗର୍ଭକୁ।ପିଲାଟିର ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ବାପା ଗାଁ ୱାର୍ଡ ମେମ୍ବର ପଦରୁ ଇସ୍ତଫା ଦେଇ ଚାଲିଗଲେ ସୁଦୂର କଲିକତା। ସେଠି ରହି ଯାହା କିଛି ଅର୍ଥ ଉପାର୍ଜନ କଲେ,ସେଥିରୁ ଯତ୍ କିଞ୍ଚିତ ନିଜ ପେଟ ପାଇଁ ରଖି ବାକି ତକ ପଠାଇ ଦେଉଥିଲେ ଭଦ୍ରକରେ ଥିବା ନିଜ ପରିବାର ପାଇଁ। ବାପାଙ୍କର ସେହି କଷ୍ଟାର୍ଜିତ ଧନରେ ପିଲାଟି ପାଠ ପଢି ସ୍ୱପ୍ନ ପରେ ସ୍ୱପ୍ନ ଦେଖିବାକୁ ଲାଗିଲା। ଭଲ ପିନ୍ଧିବା,ଭଲ ଖାଇବାକୁ ଭ୍ରୁକ୍ଷେପ ନକରି ପାଦେ ପରେ ପାଦେ ଆଗକୁ ମାଡି ଚାଲିଲା। ପଦାର୍ଥ ବିଜ୍ଞାନରେ ସ୍ନାତ୍ତକ ସମାପ୍ତ କରି ବାଲେଶ୍ୱର ସ୍ଥିତ ଡି ଆର ଡି ଓ ରେ ଏକ ଉଚ୍ଚ ପଦବୀରେ ଅଧିଷ୍ଠିତ ହେଲେ।କିନ୍ତୁ ପାଣିପାଗ ବିଜ୍ଞାନ ବିଷୟରେ ଅଧିକରୁ ଅଧିକ ଗବେଷଣା କରିବା ପାଇଁ ସେ ସ୍ୱପ୍ନ ଦେଖିବା ଛାଡି ନଥିଲେ।
ଶେଷରେ ତାଙ୍କ ସ୍ୱପ୍ନ ସଫଳତାର ପାଦ ଦେଶରେ ପଦାର୍ପଣ କଲା ଏବଂ ୧୯୯୯ ମହା ବାତ୍ୟା ପର ଠାରୁ ହୁଡ଼ହୁଡ଼,ବୁଲ୍ ବୁଲ୍,ଫାଇଲିନ,ତିତିଲି ଓ ଫନିର ସୃଷ୍ଟି,ସ୍ଥିତି,ଗତିପଥ ଏବଂ ମଥାନତ ବିଷୟରେ ସଠିକ ଆଉ ନିର୍ଭୁଲ ତଥ୍ୟ ସାରା ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ମାନଙ୍କର ନିଦ ହଜେଇ ଦେଲା। ଶେଷରେ ସଦ୍ୟ ପ୍ରଲୟଙ୍କାରୀ ଅମ୍ଫନ ମହାବାତ୍ୟାର ଜାତକକୁ ନିର୍ଭୁଲ ଭାବରେ ଉପସ୍ଥାପନ କରି ସେ ସୃଷ୍ଟି କରିଦେଲେ ଏକ ନୂଆ କୀର୍ତିସ୍ତମ୍ବ।
ଅନ୍ୟ ଦେଶର ଆକଳନକୁ ପଛରେ ପକେଇ ସେ ବନି ଗଲେ ସାରା ବିଶ୍ଵର ବାତ୍ୟାମାନବ ବା ସାଇକ୍ଲୋନ ମ୍ୟାନ୍।ଆଜିର ସେହି ମହାମାନବ ଆମ ଓଡ଼ିଶା ମାଟିର ମଉଡ଼ମଣି ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ସ୍ୱତନ୍ତ୍ର ଆଲେଖ୍ୟ,ପଢିବା ପରେ ନିଶ୍ଚୟ ଆପଣ ନିଜକୁ ଗୌରବାନ୍ୱିତ ମନେକରିବେ |
ଆଲେଖ୍ୟ:ଶୁଭ୍ରକାନ୍ତ ରାଉତରାୟ ଭଦ୍ରକ |



