ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧୮୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୪୭୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୭୨୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୭୧୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି । ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ ।

 କରୋନା ମୁକାବିଲା ପାଇଁ ଡିଆରଡିଓ ଓ ଡ. ରେଡ୍ଡି ଲ୍ୟାବ୍ ମିଳିତ ଭାବେ ପ୍ରସ୍ତୁତ କରିଥିବା ଔଷଧ ୨ ଡିଅକ୍ସି-ଡି-ଗ୍ଲୋକୋଜ୍‌ (୨ଡିଜି) ପାଇଁ ଅର୍ଡର କରିଛନ୍ତି ଓଡିଶା ସରକାର । ୫ ହଜାର ୨ଡିଜି ପ୍ୟାକେଟ୍ ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । ଯାହା ଜୁନ ୧୦ ପରେ ଓଡିଶାକୁ ମିଳିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅପରାହ୍ନ ୫.୩୦ ମିନିଟରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ । ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବୈଠକ କରାଯାଇଛି । ଦୁଇବର୍ଷ ତଳେ ମେ ମାସ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ

ଜୁନ୍‌ ପହିଲାରୁ ରାଜ୍ୟରେ ଥିବା ସମସ୍ତ ବିଏଡ କଲେଜ ଗୁଡିକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ । ଭିନ୍ନ ଭିନ୍ନ ବିଭାଗ ଅଧୀନରେ ଥିବା ସମସ୍ତ ବିଏଡ୍‌ କଲେଜ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି । ଫେସବୁକରେ ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଘୁରି ବୁଲୁଛି ।କୋଲକାତାର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଶ୍ରୀଜିଉଙ୍କ ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଛନ୍ତି । ଗତ ନୃସିଂହ ଚତୁର୍ଦ୍ଦଶୀରେ ଏହି ଫଟୋ ଅପଲୋଡ଼ ହୋଇଛି । ଏ ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । 

ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଦାସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ତଳକୁ ଖସିଛି ଜଳସ୍ତର । ତଥାପି ଅନେକ ଗାଁ ଏବେବି ଜଳମଗ୍ନ ହୋଇ ରହିଛି । ତେବେ ବୈତରଣୀ ନଦୀର ବନ୍ୟା ଜଳ ଧାମନଗର ବ୍ଲକକୁ ବେଶି ପ୍ରଭାବିତ କରିଛି । ଖାସ୍‌ କରି ପଧାନୀ ପଞ୍ଚାୟତର ଆଦିବାସୀ ସାହି ଏବେ ବି ପାଣିରେ ବୁଡି ରହିଛି ।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାତିଲ ହୋଇଥିବା ମାଟ୍ରିକ ପରୀକ୍ଷା ମୂଲ୍ୟାୟନର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଟାବୁଲେସନ ରେଜିଷ୍ଟର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୨୯ରୁ ଜୁନ ୭ ତାରିଖ ମଧ୍ୟରେ ସମସ୍ତ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକ ବୋର୍ଡ ୱେବସାଇଟରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅପଲୋଡ ପ୍ରକ୍ରିୟା ଶେଷ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଯାଞ୍ଚ କରିବେ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) , HDFC ବ୍ୟାଙ୍କ ଲିମିଟେଡ୍ ଉପରେ ଧାରା ୧୦ (୨) ଏବଂ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ (ଆକ୍ଟ) ର ଧାରା ୮ ର ଉଲ୍ଲଂଘନ ପାଇଁ ୧୦ କୋଟି ଟଙ୍କା ଜରିମାନା ଲଗାଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଆଜି ଏକ ବିବୃତ୍ତିରେ କହିଛନ୍ତି ଯେ ଏହି କାର୍ଯ୍ୟ ନିୟାମକ ଅନୁପସ୍ଥିତିର ତ୍ରୁଟି ଉପରେ ଆଧାରିତ ଏବଂ ଏହା କୌଣସି କାରବାରର ବୈଧତା କିମ୍ବା ଗ୍ରାହକଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା ଚୁକ୍ତିନାମାରେ ପ୍ରକାଶ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୧)ର ନୂତନ କାର୍ଯ୍ୟସୂଚୀ ଓ ଆଗାମୀ ଟି-୨୦ ବିଶ୍ୱକପ୍ ସହ ଜଡିତ ଶନିବାର ଅନଲାଇନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସାଧାରଣ ସଭାରେ ବିସିସିଆଇ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବ । ୟୁପିରେ ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଆଇପିଏଲର ୧୪ ତମ ସିଜନର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇପାରେ।

ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଭଡା ମୂଲ୍ୟର ନିମ୍ନ ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା ।

କେନ୍ଦ୍ର ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ଅଣ ମୁସଲମାନ ଶରଣାର୍ଥୀ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି । ନାଗରିକତା ଅଧିନିୟମ ୧୯୫୫ ଧାରା ୧୬ରେ ଦିଆଯାଇଥିବା ଅଧିକାରକୁ ବ୍ୟବହାର କରି କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକ ଭାବରେ ଅନୁମତି ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ ରେ ରାସନ କାର୍ଡଧାରୀଙ୍କ ରାସନ ହଡପ,ଓଜନ ମାପ ରେ ମହାଦୁର୍ନୀତି

Sat May 29 , 2021
ବାସ୍ତବବ୍ୟୁରୋ:(ଚୌଦ୍ବାର) ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ ରେ ରାସନ କାର୍ଡ ହିତାଧିକାରୀ ଙ୍କୁ ମୁଣ୍ଡମାଳ ଗ୍ରାମ ନବ ଜ୍ୟୋତି କ୍ଲବ ରେ ଚାଉଳ ବଣ୍ଟନ କରାଯାଉଥିଲା | ଉକ୍ତ ଅଂଚଳ ର କିଛି ବ୍ୟକ୍ତି ଚାଉଳ ନେଇ ଓଜନ କରିବାରୁ ପ୍ରତ୍ୟେକ ଙ୍କ ର ୨ କେଜି ରୁ ୩ କେଜି ରୁ ଉର୍ଦ୍ଧ୍ବ ଚାଉଳ କମ ଥିବା ର ଅଭିଯୋଗ ଆସିଛି | ଯାହାକୁ ନେଇ […]

You May Like

Pin It on Pinterest