ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୬୪୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୧୬୬୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୭୦୫୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି। ରଥର ନାହାକା ଚକ ପ୍ରସ୍ତୁତ ହୋଇଛି। ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି। ଏଥିସହ ପଇରେ ବିନ୍ଧ କାମ ଚାଲିଛି ।
ମ୍ୟୁକର ମାଇକୋସିସ (ବ୍ଲାକ ଫଙ୍ଗସ୍) ରୋଗୀ ସଂଖ୍ୟା ରାଜ୍ୟରେ କ୍ରମଶଃ ବଢ଼ିବଢ଼ି ଚାଲିଥିବାବେଳେ ଏହି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଜୀବନ ରକ୍ଷାକାରୀ ଇଂଜେକସନ ଲିପୋଜୋମାଲ ଆମ୍ଫୋଟେରିସିନ-ବି ଏବେ ମିଳୁନି। ଫଳରେ ଆକ୍ରାନ୍ତଙ୍କ ସମ୍ପର୍କୀୟମାନେ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
ଆଜି ଆକାଶମାର୍ଗରୁ ବାଲେଶ୍ବର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଖିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶମାର୍ଗରୁ ବାଲେଶ୍ବର ଜିଲ୍ଲାର ସିମୁଳିଆ, ସୋର, ବାହାନଗା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ।
ଆଜି ଜୟପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହ ସ୍ବାସ୍ଥ୍ୟ ସଚିବ ମଧ୍ୟ ରହିବେ । ଏହି ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ବୁଲି ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
ଆଜିଠୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ । ଅନଲକ୍ ପ୍ରକ୍ରିୟାରେ, କେବଳ କାରଖାନା ଏବଂ ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ଏହି ସପ୍ତାହରେ ଦିଲ୍ଲୀ ମେଟ୍ରୋ ସେବା ବନ୍ଦ ରହିବ । ଅତ୍ୟାବଶ୍ୟକ ସେବା ପାଇଁ କର୍ଫ୍ୟୁ ପୂର୍ବ ପରି ଜୁନ୍ ୭ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ।
ଉତ୍ତର ପ୍ରଦେଶ ଇଟାଓ୍ୱା ଜିଲ୍ଲା ଲାଗୁ ହେଲା ନୂଆ ନିୟମ । ଟିକା ନେଇ ନଥିବା ଲୋକଙ୍କୁ ମଦ କିଣଇବାକୁ ମିଳିବନି ଅନୁମତି । ଦୋକାନୀ ବି ଏନେଇ ଦୋକାନ ଆଗରେ ନୋଟିସ ଲଗାଇଛନ୍ତି । ଏହି ନୋଟିସ୍ ଜିଲ୍ଲାର ଅତିରିକ୍ତ ମାଜିଷ୍ଟ୍ରେଟ୍ ବା ADM ହେମନ୍ତ କୁମାର ସିଂ ଜାରି କରିଛନ୍ତି ।
ରବିବାର ସନ୍ଧ୍ୟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନୱେରେ ଅବତରଣ କରିବା ସମୟରେ ଭାରତୀୟ ବାୟୁସେନା (IAF)ର ଏକ ଡୋର୍ନିୟର ୨୨୮ ପରିବହନ ବିମାନଟିର ଚକରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ବିମାନ ବନ୍ଦର ଉଦ୍ଧାରକାରୀ ଟିମ୍ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଟର୍ବୋପ୍ରୋପ ଏୟାରଲାଇନର ଚକରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ ।
ଏସିଆନ ବକ୍ସିଂ ଚାମ୍ପିୟନସିପରେ ହାରିଲେ ବିଶ୍ୱ ଚାମ୍ପିଅନ ହୋଇଥିବା ଏମସି ମେରି କମ୍ । (୫୧ କିଲୋଗ୍ରାମ) ର ପ୍ରତିଯୋଗିତାରେ ସେ ସିଲଭର ପଦକ ହାସଲ କରିଛନ୍ତି । ଫାଇନାଲରେ କାଜାଖସ୍ତାନର ନାଜିମ କିଜାଇବେ ମେରି କମଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୩୮ ବର୍ଷୀୟା ମେରି କମ ସେମିଫାଇନାଲରେ ମଙ୍ଗୋଲିଆର ଲୁଟିକାନ ଆଲଟାଣ୍ଟେସେଗଙ୍କୁ ୪-୧ରେ ପରାସ୍ତ କରିଥିଲେ।
ଟିନେସି ଅନ୍ତର୍ଗତ ସ୍ମାଇର୍ଣ୍ଣାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡାର ପାମ୍ ବେଳଭୂମି ଅଭିମୁଖେ ଯାତ୍ରା କରୁଥିବା କ୍ଷୁଦ୍ର ବିମାନ ‘ସେସ୍ନା ସି୫୦୧’ ‘ପିର୍ସି ପ୍ରିଷ୍ଟ୍ ହ୍ରଦ’ ଉପର ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ହୋଇ ଟିନେସିର ଗୋଟାଏ ହ୍ରଦକୁ ଖସିପଡ଼ିଥିବା କ୍ଷୁଦ୍ର ବିମାନରେ ଥିବା ‘ଟାର୍ଜନ୍’ ଅଭିନେତା ଜୋ ଲାରା ଓ ତାଙ୍କ ବିବାଦୀୟ ‘ଡାଏଟ୍ ଗୁରୁ’ ପତ୍ନୀ ତଥା ଗୀର୍ଜା ନେତ୍ରୀ ଗ୍ବେନ୍ ଲାରାଙ୍କ ସମେତ ୭ଜଣଙ୍କୁ ମୃତ ବୋଲି ଧରିନିଆଯାଇଥିବା କଥା ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ମୂଷାଙ୍କ ଦାଉରୁ ତ୍ରାହି ପାଇବା ନିମନ୍ତେ ଅଷ୍ଟ୍ରେଲିଆ ୫,୦୦୦ ଲିଟର୍ ‘ବ୍ରୋମାଡାଓଲୋନ୍’,ଏକ ଜାତୀୟ ନିଷିଦ୍ଧ ବିଷ ପାଇଁ ଭାରତକୁ ବରାଦ ଦେଇଛି । ସମ୍ପ୍ରତି ଅଷ୍ଟ୍ରେଲିଆର ପୂର୍ବାଞ୍ଚଳ ପ୍ରଦେଶମାନଙ୍କରେ ଅଭୂତପୂର୍ବ ଭାବେ ମୂଷାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା କଥା ସେଠାକାର ସରକାରୀ ଅଧିକାରୀମାନେ କହିଛନ୍ତି । ମୂଷାଙ୍କୁ ଦମନ କରିବା ପାଇଁ ଅଷ୍ଟ୍ରେଲିଆର ସଂଘୀୟ ସରକାର ଏବେ ମଧ୍ୟ ଜରୁରୀ କ୍ଷେତ୍ରରେ ବ୍ୟବହାର ନିମିତ୍ତ ‘ବ୍ରୋମାଡାଓଲୋନ୍’କୁ ଅନୁମୋଦନ କରି ନାହାନ୍ତି । ମୂଷାପଲ ଖାଲି ସେମାନଙ୍କ ଫଲସ ଉଜାଡୁ ନାହାନ୍ତି, ସେମାନଙ୍କ ଘରଦ୍ବାର ଉଜାଡ଼ି ପକାଇଲେଣି। ସବୁଦିନ ରାତିରେ ସେମାନଙ୍କ ଘର ଚଟାଣ, ଛାତ ଓ ବାହାରିଆ ଘରଗୁଡ଼ିକରେ ମୂଷାପଲ ହଳ ହଳ ହୋଇ ବୁଲୁଛନ୍ତି।