
ବବିତା ସାମଲ(ଭଦ୍ରକ):ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଭଦ୍ରକର ବନ୍ତ ଛକ, ରେଳ ଷ୍ଟେସନ, ନୂଆ ବସ୍ ଷ୍ଟାଣ୍ଡ, କଚେରି ରୋଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ସମ୍ମୁଖ, ଏସପି ଅଫିସ ସମ୍ମୁଖ, କଲେଜ ଛକ, ରାନ୍ଦିଆ, ବାରପଦା, ଚରମ୍ପା, ରାଣୀତାଲ, ଇଚ୍ଛାପୁର , ଆରଡ଼ି ଛକ ଓ ବାଇପାସ୍ ଛକରେ ବିଜେପି କର୍ମୀମାନେ, ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଉଚିତ ଦଣ୍ଡ ବିଧାନ ସହ ମନ୍ତ୍ରୀ ଦିବ୍ୟସଂକରଙ୍କ ବହିଷ୍କାର ଦାବି କରିଛନ୍ତି ।
ଏହି ବନ୍ଦ ପାଳନ ଯୋଗୁଁ ଭଦ୍ରକର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ,ସରକାରୀ ଅଫିସ ଆଗରେ ବିଜେପି କର୍ମୀମାନେ ନବୀନ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ କରିଛନ୍ତି। ନବୀନ ସରକାର ସମୟରେ ମହିଳାମାନେ ଅଧିକ ନିର୍ଯାତିତାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ଏଭଳି ଜଣେ ମନ୍ତ୍ରୀଙ୍କୁ କାହିଁକି ବହିଷ୍କାର କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି।
ବିଜେପିର ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ, ଆଜିର ଏଇ ବନ୍ଦ ବେଳେ ସମସ୍ତ ପ୍ରକାର ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥରେ ବି ବସ୍ ଟ୍ରକ୍ ଚଳାଚଳ ବନ୍ଦ ରହିଛି। ଟ୍ରେନ ଚଳାଚଳ ବି ବନ୍ଦ କରାଯାଇଛି।
ଏହି ବନ୍ଦ ପାଳନ କୁ ସଫଳ କରିବା ପାଇଁ ଅନ୍ୟ ବିଜେପି ନେତା ମାନଙ୍କ ମଧ୍ୟରେ,ଡାକ୍ତର ପ୍ରଦୀପ ନାୟକ,ଅଭିମନ୍ୟୁ ସେଠୀ, ସୁରଜ୍ ସୂର୍ଯ୍ୟ ପ୍ରକାଶ, ତପନ ମହାନ୍ତି, ଶରତ ପଢିହାରୀ, ବିଦ୍ୟାଧର ସାହୁ, ମାନସ୍ମିତା ଖୁଣ୍ଟିଆ, ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ହରପ୍ରିୟା ସାହୁ, ସମ୍ପାଦିକା ଲିପିକା ବାରିକ, ଚୈତଳି ଖିଲାର, ସୁମିତା ପାଣି, ଲାଲା ଧୀରଞ୍ଜନ ରାୟଙ୍କ ସମେତ ବହୁ ଯୁବ ନେତା ଓ ମହିଳା କର୍ମୀ ସାମିଲ ହୋଇଛନ୍ତି।



