ବରିଷ୍ଠ କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ପାଇଲେ ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬

ବାଲେଶ୍ୱର(ବାସ୍ତବକଥା: ବାଲେଶ୍ୱରର ବରିଷ୍ଠ କବି, ସମ୍ପାଦକ, ଗାଳ୍ପିକ ଓ ଅନୁବାଦକ କୃଷ୍ଣ କୁମାର ମହାନ୍ତିଙ୍କୁ ଚଳିତ ବର୍ଷର ‘ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬’ ପ୍ରଦାନ କରାଯାଇଛି। ଶନିବାର ବାଲେଶ୍ୱର ସ୍ଥିତ ସିଦ୍ଧି କଲ୍ୟାଣ ମଣ୍ଡପ-୨ ଠାରେ ଆୟୋଜିତ ବିଶିଷ୍ଟ ଜନନେତା ସ୍ୱର୍ଗତ ଅରୁଣ ଦେଙ୍କ ପଞ୍ଚମ ସ୍ମୃତି ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ବିଶିଷ୍ଟ ବକ୍ତା ତଥା ରାଜନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ଶ୍ରୀ ମହାନ୍ତିଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚୟନିତ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ସହ ଶ୍ରୀ ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ।

ଶ୍ରୀ ମହାନ୍ତି ଓଡ଼ିଶାର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ। ସେ କବିତା, ଗଳ୍ପ, ସମାଲୋଚନା, ଅନୁବାଦ ଓ ଫିଚର ଲେଖନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ‘ଶ୍ୟାମଳୀ ଦାସ’, ‘ରୁବି ରାଏ’, ‘ଚିହ୍ନା ଚାଳିଶ’, ‘ପାପ’, ‘ସୂର୍ଯ୍ୟମୁଖୀ ଫୁଲ’ ଓ ‘ପ୍ରଜାପତି’ ପ୍ରଭୃତି ଗଳ୍ପ, କବିତା ଏବଂ ଶିଶୁ ସାହିତ୍ୟ ପୁସ୍ତକ ପାଠକ ମହଲରେ ବେଶ୍ ଆଦୃତ ହୋଇଛି।

ସମ୍ପ୍ରତି ସେ ‘ରେବତୀ’ ପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରୁଥିବା ବେଳେ ‘ହୋରାଇଜନ୍’ ନାମକ ଇଂରାଜୀ ସାହିତ୍ୟ ପୃଷ୍ଠାର ମଧ୍ୟ ସମ୍ପାଦନା କରୁଛନ୍ତି। ଓଡ଼ିଆ ସାହିତ୍ୟକୁ ଜାତୀୟ ଓ ବିଶ୍ୱସ୍ତରରେ ପରିଚିତ କରାଇବା ଦିଗରେ ତାଙ୍କର ନିରନ୍ତର ପ୍ରୟାସ ସାହିତ୍ୟ ମହଲରେ ପ୍ରଶଂସିତ ହୋଇଛି।

୧୯୬୬ ମସିହାରେ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି ଦୀର୍ଘଦିନ ଧରି ସାହିତ୍ୟ, ସାମ୍ବାଦିକତା ଏବଂ ସମ୍ପାଦନା କ୍ଷେତ୍ରରେ ସକ୍ରିୟ ରହିଆସିଛନ୍ତି। ତାଙ୍କୁ ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬ ପ୍ରଦାନ କରାଯିବା ପରେ ଓଡ଼ିଶାର ବହୁ ସାହିତ୍ୟିକ, ସାମ୍ବାଦିକ ଓ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେୟାର କରନ୍ତୁ

Next Post

ସମ୍ଭାବ୍ୟ ରେଳ ଦୁର୍ଘଟଣାକୁ ଏଡ଼ାଇଥିବା ବରିଷ୍ଠ ଯନ୍ତ୍ରୀ ଖଡ଼ଗପୁର ଡିଆରଏମ୍ ଦ୍ବାରା ସମ୍ମାନିତ....

Tue Aug 4 , 2026
ବାଲେଶ୍ୱର,୪ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ରେଳ ସୁରକ୍ଷା କ୍ଷେତ୍ରରେ ଅସାଧାରଣ ସତର୍କତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ବାଲେଶ୍ୱରର ବରିଷ୍ଠ ସେକ୍ସନ ଇଞ୍ଜିନିୟର (କ୍ୟାରେଜ୍ ଓ ୱାଗନ୍) ଶ୍ରୀ ବି. ତାଜେଶ୍ୱର ରାଓଙ୍କୁ ମଙ୍ଗଳବାର ଖଡ଼ଗପୁରରେ ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଲଲିତ ମୋହନ ପାଣ୍ଡେ ନଗଦ ଅର୍ଥ ରାଶି ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି। କର୍ତ୍ତବ୍ୟ ପାଳନ ସମୟରେ ତାଙ୍କର ସତର୍କତା, ବୈଷୟିକ […]

You May Like

Pin It on Pinterest