ବ୍ୟାସଙ୍କ ଉପଦେଶ ଅନୁସାରେ ପରୀକ୍ଷିତଙ୍କୁ ସିଂହାସନରେ ଅଧିଷ୍ଠିତ କରି ପାଣ୍ଡବମାନେ ଦ୍ରୌପଦୀଙ୍କସହ ସେମାନଙ୍କ ଅନ୍ତିମ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ Ι ପ୍ରଜାମାନଙ୍କ ନିକଟରୁ ବିଦାୟ ନେଇ ସାରା ଭାରତ ବର୍ଷର ପ୍ରମୁଖ ତୀର୍ଥ ସ୍ଥଳମାନ ଭ୍ରମଣ କରିବା ପରେ ସେମାନେ ଗୟାରେ ପହଞ୍ଚି ପିଣ୍ଡଦାନ କଲେ Ι ସେଠାରୁ ତ୍ରିବେଣୀ ଯାଇ ସ୍ନାନ କଲେ Ι ସର୍ବ ଶେଷରେ ସେମାନେ ଉତ୍ତରଦିଗକୁ ଯାତ୍ରା କରି ହିମବନ୍ତ ପର୍ବତରେ ପହଞ୍ଚିଲେ Ι “ମହା ହିମ ପଡେ ତହିଁ ଶତେକ ଯୋଜନ,ଚାଲୁଁ ଚରଣୁଁ ମିଳାଇ ପଡେ ମାଂସମାନ Ι” ଶତ ଶତ ଯୋଜନ ବ୍ୟାପି ହିମାଳୟର ବରଫାବୃତ ଅଞ୍ଚଳରେ ପାଣ୍ଡବମାନେ ଓ ଦ୍ରୌପଦୀ ଘୂରି ବୁଲୁଥିଲେ Ι ସେମାନେ ସ୍ୱର୍ଗକୁ ଯିବାକୁ ପଥ ଅନ୍ୱେଷଣ କରୁଥିଲେ Ι ସେ ଅଞ୍ଚଳରେ ବିଚରଣ କରିବା ଏତେ ସହଜ ନ ଥିଲା Ι ଦ୍ରୌପଦୀ ବାରମ୍ବାର କ୍ଲାନ୍ତ ହୋଇ ଆଗକୁ ବଢିବା ପାଇଁ ଅସମର୍ଥତା ପ୍ରକାଶ କରୁଥାନ୍ତି Ι ଯୁଧିଷ୍ଠିରଙ୍କ ବ୍ୟତୀତ ଅନ୍ୟମାନେ ପ୍ରବଳ ଶୈତ୍ୟର ପ୍ରକୋପ ସହ୍ୟ କରି ନ ପାରି ଥର ଥର କମ୍ପୁଥାନ୍ତି Ι ଜନମାନବ ଶୂନ୍ୟ ସେହି ହିମଗିରିରେ କାହାକୁ ପଚାରିବେ, “ପଥ କାହିଁ ? ”

ଏହି ସମୟରେ ଯୁଧିଷ୍ଠିର ଦେଖିଲେ ଶ୍ୱେତ ବର୍ଣ୍ଣର ଶ୍ଵାନଟିଏ ତାଙ୍କ ଚତୁର୍ପାର୍ଶ୍ୱରେ ଘୂରି ବୁଲୁଛି Ι କିଛି ସମୟ ପରେ ସେ ଶ୍ଵାନ କିଛି ଦୂରକୁ ଯାଇ ଫେରି ଚାହିଁଲା Ι ଯୁଧିଷ୍ଠି ବୁଝିପାରିଲେ ଯେ ସେ ତାଙ୍କୁ ଅନୁସରଣ କରିବାକୁ ସଙ୍କେତ ଦେଉଛି Ι ସମସ୍ତେ ତା ପଛେ ପଛେ ଚାଲିଲେ Ι କ୍ରମେ ଉଚ୍ଚରୁ ଉଚ୍ଚକୁ ସଂକୀର୍ଣ୍ଣ ରାସ୍ତାରେ ଯିବାକୁ ପଡିଲା Ι କ୍ଷୁଧା ତୃଷାରେ ଅଧୀର ହୋଇ ପ୍ରଥମେ ଦ୍ରୌପଦୀ ନିଜର ସନ୍ତୁଳନ ହରାଇ ବସିଲେ Ι ତାଙ୍କର ପଦସ୍ଖଳନ ହେବାରୁ ସେ ଅନେକ ଉଚ୍ଚରୁ ତଳକୁ ଖସିଲେ Ι ଭୀମ କ୍ଷୀପ୍ରତାର ସହିତ ତାଙ୍କର ହାତଟିଏ ଧରିନେଲେ Ι ସେ ଦେଖିଲେ ସେ ଶ୍ଵାନ ପଛେ ପଛେ ଯୁଧିଷ୍ଠିର ଅନେକ ଆଗକୁ ବଢିଗଲେଣି Ι ସେ ଉଚ୍ଚ ସ୍ୱରରେ ଡାକି କହିଲେ, ଭ୍ରାତା, ଦେଖନ୍ତୁ ଆପଣଙ୍କର ପ୍ରିୟା ପତ୍ନୀ ମୃତ୍ୟୁମୁଖରେ ପଡ଼ିବାକୁ ଯାଉଛନ୍ତି Ι ଆପଣ ଅପେକ୍ଷା କରନ୍ତୁ Ι ମୁଁ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛି Ι” ନିର୍ବିକାର ଭାବରେ ଯୁଧିଷ୍ଠିର କହିଲେ, “ନିଜ ଚିନ୍ତା କର ବୃକୋଦର ! ଏଠାରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ମୂଲ୍ୟହୀନ Ι ଏଠାରେ କେହି କାହାକୁ ରକ୍ଷା କରିବାର ପ୍ରଶ୍ନ ଉଠୁନାହିଁ Ι ପ୍ରତ୍ୟେକ ନିଜ ନିଜର କର୍ମଫଳ ଭୋଗ କରିବେ Ι” ଭୀମ ପଚାରିଲେ, “ୟାଙ୍କର କି କୁକର୍ମ ଥିଲା ଯେ ….” ଧର୍ମରାଜ କହିଲେ,” କୁରୁକ୍ଷେତ୍ରରେ ଅନେଶ୍ୱତ ଭ୍ରାତା ତାରି ଯୋଗୁଁ ମଲେ Ι ଆମେ ପାଞ୍ଚପତି ଥାଉଁ ଥାଉଁ ତାର କର୍ଣ୍ଣ ପ୍ରତି ଆସକ୍ତି ଥିଲା Ι” କର୍ଣ୍ଣଙ୍କ ପ୍ରତି ଅନୁରାଗ ବିଷୟ ଶୁଣିବା ମାତ୍ରେ ଭୀମ ପାଞ୍ଚାଳୀଙ୍କ ହାତ ଛାଡିଦେଲେ ଓ ହିମାଳୟର କେଉଁ ଅତଳ ଗର୍ତ୍ତରେ ଲୀନ ହୋଇଗଲେ ମହାଭାରତର ମୂଖ୍ୟ ନାୟିକା ଦ୍ରୁପଦ ନନ୍ଦିନୀ, ପାଣ୍ଡବ ରମଣୀ ଯାଜ୍ଞସେନୀ Ι
ତା ପରେ ସହଦେବ Ι
ଅସହାୟ ଭାବରେ ସେ ଏମିତି ହଠାତ୍ ତଳକୁ ଖସି ପଡିଲେ ଯେ ତାଙ୍କୁ ଉଦ୍ଧାର କରିବାପାଇଁ କେହି କୌଣସି ଚେଷ୍ଟା ମଧ୍ୟ କରିପାରିଲେ ନାହିଁ Ι ଭୀମ ଯୁଧିଷ୍ଠିଙ୍କୁ ଡାକି କହିଲେ,”ଆପଣଙ୍କର ମନ୍ତ୍ରୀ ସହଦେବ ଖସିପଡ଼ିଲେ ଭ୍ରାତା Ι ଯୁଧିଷ୍ଠିର କହିଲେ,”ସବୁ ଜାଣୁଥିଲା, କିଛି କହୁ ନ ଥିଲା Ι ସେ ଯଦି ଆଗରୁ ଜଣାଇଥାନ୍ତା, ଅଭିମନ୍ୟୁ ମରି ନ ଥାନ୍ତା Ι ସେ ଯଦି ଆଗରୁ ଜଣାଇଥାନ୍ତା, ମୁଁ ସେ ପଶା ଖେଳକୁ ଯାଇ ନ ଥାନ୍ତି Ι” ଭୀମ କହିଲେ ,ଭ୍ରାତା, ଟିକିଏ ଧୀରେ ଚାଲନ୍ତୁ, ନକୁଳ ଚାଲିପାରୁନାହିଁ Ι ନକୁଳ…..,ନକୁଳ ଖସିପଡିଲା ଭ୍ରାତା!.”ଭୀମ ଓ ଅର୍ଜୁନ ଉଭୟ ଚିତ୍କାର କରି ଉଠିଲେ Ι
ଯୁଧିଷ୍ଠିର କହିଲେ,”ସଦା ସର୍ବଦା ନିଜକୁ ସୁନ୍ଦର ବୋଲି କହି ହେଉଥାଏ Ι “ଏତେ ରାଜା ମାରିଲି, ସେତେ ରାଜା ମାରିଲି’ ବଖାଣୁଥାଏ Ι ସ୍ୱର୍ଗକୁ ସଶରୀରରେ ଯିବାପାଇଁ ତାର ଯୋଗ୍ୟତା ନ ଥିବାରୁ ସେ ଉଠିପାରିଲା ନାହିଁ Ι ତା ପାଇଁ ସମବେଦନା ପ୍ରଦର୍ଶନ ନ କରି ତୁମେ ନିଜର ପ୍ରଚେଷ୍ଟା ଜାରି ରଖ Ι” କେତୋଟି ମୁହୂର୍ତ୍ତ ବିତିଗଲା Ι ତିନିଜଣ ନୀରବରେ ଆଗକୁ ବଢ଼ୁଥିଲେ Ι ହଠାତ ଦୁଇଟି ଶବ୍ଦ ଶୁଭିଲା,”ଭ୍ରାତା, ବିଦାୟ !”
ଭୀମ କରୁଣ କଣ୍ଠରେ ଘୋଷଣା କଲେ,”କୃଷ୍ଣସଖା, ମହାଧନୁର୍ଦ୍ଧର, ମହାଭାରତ ଯୁଦ୍ଧର ମହାପରାକ୍ରମୀ ଯୋଦ୍ଧା ପାର୍ଥ ଆଉ ଆମ ସାଙ୍ଗରେ ନାହିଁ ଭ୍ରାତା Ι ମୋ ଦେଖୁଁ ଦେଖୁଁ ସେ ଏହି ନିମ୍ନଗାମୀ ପିଚ୍ଛିଳ ପଥରେ ଖସି ଖସି କୁଆଡେ ଲୁଚିଗଲା Ι ଆପଣ କଣ ତାକୁ ଅନ୍ୱେଷଣ କରିବା ପାଇଁ ଅପେକ୍ଷା କରିବେ ନାହିଁ ? ତା ପାଇଁ କଣ ଆପଣଙ୍କର ତିଳେ ହେଲେ ଦୁଃଖ ହେଉନାହିଁ ?” ଯୁଧିଷ୍ଠିର କହିଲେ,”ମୃତ୍ୟୁର ଦ୍ୱାରଦେଶରେ ମଧ୍ୟ ଆହୁରି ୟେ ମାୟା ମୋହ ତୋତେ ଆଚ୍ଛନ୍ନ କରି ରଖିଛି ବୃକୋଦର ? ଅସାମାନ୍ୟ ବୀର ବୋଲି ଅସମ୍ଭବ ଗର୍ବ ଥିଲା ତାର Ι ସେ ଏତେ ବାଟ ଆସି ପାରିଲା, ସେଇଟା ବଡ କଥା Ι”ଭୀମ କହିଲେ,” ଆପଣଙ୍କୁ ଛାଡି ପୃଥିବୀରେ ମୁଁ କାହାକୁ ମାନେ ନାହିଁ Ι ଆପଣ କଣ ମୋର ଭକ୍ତିର ପ୍ରତିଦାନରେ ମୋତେ ସାଙ୍ଗରେ ନେବେନାହିଁ ?” ଯୁଧିଷ୍ଠିର କହିଲେ,”ତୋର ଅପରାଧର ସୀମା ନାହିଁ Ι ତା ସତ୍ତ୍ୱେ ତୋର ଅଜ୍ଞତା, ମୂର୍ଖତା, ସରଳତା ଓ ଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ ଯୋଗୁଁ….”ଯୁଧିଷ୍ଠିରଙ୍କ ବାକ୍ୟ ସରିନାହିଁ, ଏକ ଭୟଙ୍କର ଚିତ୍କାରରେ ହିମାଳୟ ଥରି ଉଠିଲା Ι ଯାହାଙ୍କର ଜନ୍ମ ସମୟରେ ପଦାଘାତ ଯୋଗୁଁ ଶତଶୃଙ୍ଗର ଗୋଟିଏ ଶୃଙ୍ଗ ଭାଙ୍ଗିଯାଇଥିଲା, ସେହି ବୀର ବୃକୋଦରଙ୍କର ବିଶାଳ ନିଶ୍ଚେଷ୍ଟ ଶରୀର ହିମବନ୍ତ ପର୍ବତର କେତୋଟି ଶୃଙ୍ଗ ଭଗ୍ନ କରି କରି ତଳକୁ ଖସୁଥିଲା Ι

ହିମାଳୟର ସର୍ବୋଚ୍ଚ ଶିଖରରେ ଏକମାତ୍ର ଶ୍ଵାନ ସହ ଯୁଧିଷ୍ଠିର ଆଗକୁ ବଢ଼ୁଥିଲେ Ι ସ୍ୱର୍ଗପୁରରୁ ପୁଷ୍ପକ ବିମାନ ସହ ଦେବରାଜ ଇନ୍ଦ୍ର ଆସି ଅଵତରଣ କଲେ Ι ଯୁଧିଷ୍ଠିର ସବିନୟ ପ୍ରଣାମ କଲେ Ι ଇନ୍ଦ୍ର ତାଙ୍କୁ ବିମାନ ଆରୋହଣ କରି ସ୍ୱର୍ଗକୁ ଯିବାକୁ ଅନୁରୋଧ କଲେ Ι ଯୁଧିଷ୍ଠିର ସାଙ୍ଗରେ ଆସିଥିବା ଶ୍ଵାନଟିକୁ ମଧ୍ୟ ସାଙ୍ଗରେ ନେବାପାଇଁ ଇଛା ପ୍ରକାଶ କରିବାରୁ ସୁନାସୀର ପ୍ରତିବାଦ କଲେ Ι ସେ କହିଲେ, “ଯେଉଁ ପ୍ରାଣୀକୁ ସ୍ପର୍ଶ କଲେ ସ୍ନାନ କରିବାର ବିଧି ଅଛି, ତାକୁ ଆପଣ ସ୍ଵର୍ଗପୁରକୁ ନେବାକୁ କେମିତି ଆଶା କରୁଛନ୍ତି?”ଯୁଧିଷ୍ଠିର କହିଲେ,” ଦେବରାଜ, ମୋର ପତ୍ନୀ କିମ୍ବା ଭ୍ରାତାମାନେ ମୋ ସହ ଏ ପର୍ଯ୍ୟନ୍ତ ଆସିବାକୁ ଯୋଗ୍ୟ ପ୍ରମାଣିତ ହେଲେ ନାହିଁ Ι ଏ ଶ୍ଵାନଟି ମୂଳରୁ ମୋର ପଥ ପ୍ରଦର୍ଶକ ଭାବେ ମୋ ସହ ଅଛି Ι ମୁଁ ତାକୁ ଛାଡି ଏକୁଟିଆ ଯାଇ ପାରିବି ନାହିଁ Ι ତାଙ୍କର ନିଷ୍ଠା ଦେଖି ମଘବା ପ୍ରସନ୍ନ ହେଲେ Ι ଶ୍ଵାନରୂପୀ ଧର୍ମଦେବ ଆତ୍ମପ୍ରକାଶ କଲେ ଓ ଯୁଧିଷ୍ଠିରଙ୍କୁ ପ୍ରଶଂସା କରି ବିଦାୟ ନେଲେ Ι ଶଚୀପତି ଯୁଧିଷ୍ଠିରଙ୍କୁ ସ୍ଵର୍ଗପୁରର ବିଭିନ୍ନ ଅଞ୍ଚଳ ବୁଲାଇ ଦେଖାଇଲେ Ι ସେଠାରେ କୌରବମାନେ ଆନନ୍ଦରେ ବିଚରଣ କରୁଥିବାର ଦେଖି ଯୁଧିଷ୍ଠି ନିଜ ଭ୍ରାତା ଓ ପତ୍ନୀ ଦ୍ରୌପଦୀ କେଉଁ ଅଞ୍ଚଳରେ ଅଛନ୍ତି ବୋଲି ପ୍ରଶ୍ନ କଲେ Ι ସେମାନଙ୍କୁ ଦେଖିବା ପାଇଁ ଇଛା କରିବାରୁ ଇନ୍ଦ୍ର ତାଙ୍କୁ ନର୍କକୁ ନେଇଗଲେ Ι ଯୁଧିଷ୍ଠି ଆଶ୍ଚର୍ଯ୍ୟ ହେଲେ Ι ସେ ଯମରାଜଙ୍କୁ ପଚାରିଲେ, “ଏତେ ଅନ୍ୟାୟ କରି କୌରବମାନେ ସ୍ଵର୍ଗରେ ସ୍ଥାନ ପାଇଥିଲାବେଳେ ନ୍ୟାୟପଥରେ ରହି ଏମାନେ ନର୍କରେ କାହିଁକି ଅଛନ୍ତି ? ଶମନ ଦେବତା କହିଲେ,”ସେମାନେ ପାପୀ ,ମାତ୍ର ଯୁଦ୍ଧରେ ସ୍ୱଧର୍ମ ପାଳନ କରି କୃଷ୍ଣଙ୍କ ମୁଖ ଦର୍ଶନ କରି ସେମାନଙ୍କର ସବୁ ପାପ କ୍ଷୟ ହୋଇ ଯାଇଛି Ι କିନ୍ତୁ ଏମାନେ କିଛି ସମୟ ନର୍କ ଭୋଗ କରିବେ Ι ଯୁଧିଷ୍ଠିର କହିଲେ,”ଅଧର୍ମ ପଥରେ ଜୀବନ ସାରା ଚାଲିଥିବା କୌରବମାନଙ୍କ ସାଙ୍ଗରେ ସ୍ଵର୍ଗରେ ରହିବା ଅପେକ୍ଷା ମୁଁ ମୋ ଭ୍ରାତାମାନଙ୍କ ସାଙ୍ଗରେ ନର୍କରେ ରହିବାକୁ ପସନ୍ଦ କରିବି Ι” ସେ ଇନ୍ଦ୍ରଙ୍କୁ ଫେରିଯିବାକୁ ଅନୁରୋଧ କରିବାରୁ ଯମ ହସିଲେ ଏବଂ ସମସ୍ତ ଭ୍ରାତାଙ୍କୁ ସାଙ୍ଗରେ ସ୍ୱର୍ଗକୁ ନେଇ ଯିବାକୁ ଅନୁମତି ଦେଲେ Ι ଯୁଧିଷ୍ଠିର ପ୍ରଶ୍ନ କଲେ,”ମୋର କେଉଁ ପାପରୁ ମୁଁ ନର୍କ ଦର୍ଶନ କଲି ?” ଯମରାଜା କହିଲେ,”ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ‘ନରେ ବା କୁଞ୍ଜରେ ଅଶ୍ଵତ୍ଥାମା ହତ’ ଭଳି ଅର୍ଦ୍ଧସତ୍ୟ କହିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଲା Ι” ସେଠାରୁ ଆସି ସମସ୍ତେ ସ୍ଵର୍ଗପୁରରେ ଆନନ୍ଦରେ କାଳାତିପାତ କଲେ Ι
ହସ୍ତିନାର ରାଜା ପରୀକ୍ଷିତ କୁଶଳତାର ସହିତ ରାଜ୍ୟ ଶାସନ କଲେ Ι ମୁନି ଋଷିଙ୍କଠାରୁ ନିଜ ବଂଶର କରିତ୍କର୍ମା ପୂର୍ବ ପୁରୁଷମାନଙ୍କ କାହାଣୀ ଓ ଶ୍ରୀକୃଷ୍ଣ୍କ ମହିମା ଶୁଣାଇବା ପାଇଁ ସେ ଶୁକ ମୁନିଙ୍କୁ ଅନୁରୋଧ କରୁଥିଲେ ଓ ଅତିବଡୀ ଜଗନ୍ନାଥ ଦାସଙ୍କ ଭାଷାରେ ଶୁକ ମୁନି ଆରମ୍ଭ କରୁଥିଲେ,
‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ
ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ…….




