ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ଏହି ସପ୍ତାହରେ । ଏଥର କ୍ୟାବିନେଟରେ ଜେଡିୟୁ କୋଟାରୁ ଜଣେ ମନ୍ତ୍ରୀ ଦେବାନେଇ ଆରମ୍ଭ ହୋଇଛି ପ୍ରଚେଷ୍ଠା । ଜେଡିୟୁ ସଭାପତି ଆରସିପି ସିଂ କହିଛନ୍ତି,ମଙ୍ଗଳବାର ଦିନ ଦିଲ୍ଲୀ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏହା ପରେ ନିଷ୍ପତି ନିଆଯିବ ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ବିସ୍ତାର ପାଇଁ ଚଳିତ ମାସରେ ବରିଷ୍ଠ ମନ୍ତ୍ରୀଙ୍କ ସହ ଅନେକ ବବୈଠକ କରିଛନ୍ତି,ଏବଂ ସମସ୍ତ ମନ୍ତ୍ରଣାଳୟର କାର୍ଯ୍ୟର ସମୀକ୍ଷା ମଧ୍ୟ କରାଯାଇଛି। ଆରସିପି ସିଂ ଜେଡିୟୁ କୋଟାରୁ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ହେବା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର କେତେଜଣ ମନ୍ତ୍ରୀ ହେବେ ତାହା ସ୍ଥିର କରିବେ। ଜେଡିୟୁ ସଂସଦୀୟ ଦଳର ନେତା ରାଜୀବ ସିଂ ଲାଲାନ କହିଛନ୍ତି ଯେ ନୀତୀଶ କୁମାର ମଙ୍ଗଳବାର ଦିନ ପାଟନାରୁ ଦିଲ୍ଲୀ ଯିବେ।
ସମ୍ପ୍ରସାରଣର ଆଲୋଚନା ମଧ୍ୟ ତୀବ୍ର ହୋଇଛି କାରଣ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ସହଯୋଗୀମାନଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି। ଗତ ସପ୍ତାହରେ ଶାହା ଆପ୍ନା ଦଳ ସଭାପତି ଅନୁପ୍ରିୟା ପଟେଲଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ଶାହା ମଧ୍ୟ AIADMK ନେତାଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଗତ ଏକ ମାସ ମଧ୍ୟରେ ବରିଷ୍ଠ ମନ୍ତ୍ରୀଙ୍କ ସହ ନଅଟି ବୈଠକ ମାଧ୍ୟମରେ ସମସ୍ତ ମନ୍ତ୍ରଣାଳୟର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି କ୍ରମରେ ରବିବାର ମଧ୍ୟ ପ୍ରଧାନମନ୍ତ୍ରୀ କ୍ୟାବିନେଟ ସହକର୍ମୀ ତଥା ବିଜେପି ସଭାପତି ଜେପି ନାଡାଙ୍କ ସହ ଆଲୋଚନା କରିଛନ୍ତି। ତେଣୁ ଏହି ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଧିକ ।