ବାସ୍ତବ ବ୍ୟୁରୋ : ଆଜି ରାତିରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ’ । ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍ ତାମିଲନାଡୁର ମହାବଲିପୁରମ୍ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନାନୁଯାୟୀ, ସାମୁଦ୍ରିକ ଝଡ଼ ‘ମାଣ୍ଡୋସ’ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର କାରାଇକାଲ ଠାରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି।
ଏହା ଉତ୍ତର ତାମିଲନାଡୁରୁ ପଶ୍ଚିମ ଉତ୍ତର-ପଶ୍ଚିମ ଆଡକୁ ଅଗ୍ରସର ହେଉଥିବା ବେଳେ ପୁଡୁଚେରୀ ଏବଂ ଏହାର ଆଖପାଖ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ଏବଂ ଆଜି (ଶୁକ୍ରବାର) ମଧ୍ୟରାତ୍ରିରେ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ର ସମ୍ଭାବନା ରହିଥିବା ବେଳେ ସେଠାକାର ବିମାନ ବନ୍ଦରରେ ଆଜି ଅର୍ଥାତ ଡିସେମ୍ବର ୯ରେ ପ୍ରାୟ ୧୦ର ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ସେହିପରି ଆଇଏମଡି ମଧ୍ୟ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ଏନଡିଆରଏଫ ଦଳ ନିୟୋଜିତ ହୋଇଛନ୍ତି। ସାମୁଦ୍ରିକ ଝଡ଼ ମାଣ୍ଡୋସ ପ୍ରଭାବରେ ତିରୁମାଲା, ତିରୁପତିରେ ପ୍ରବଳ ବର୍ଷା ଲାଗିରହିଛି।