
ବାସ୍ତବ ବ୍ୟୁରୋ– ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୁମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିପାରନ୍ତି । ଯଦିଓ ଏପର୍ଯ୍ୟନ୍ତ ଏହି ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, ତଥାପି ପ୍ରଧାନମନ୍ତ୍ରୀ ୫ ଅଗଷ୍ଟରେ ଭୁମି ପୂଜନରେ ଅଂଶଗ୍ରହଣ କରିବେ । ଏହି ମନ୍ଦିରର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ଥିବା ସର୍ବାର୍ଥ ସିଦ୍ଧ ଯୋଗର ଅଭିମନ୍ତ୍ରିତ ମୁହୂର୍ତ୍ତରେ ପୂଜା କରାଯିବ ।
ପ୍ରଧାନମନ୍ତ୍ରୀ ରାମ ମନ୍ଦିରର ଭୂମି ପୂଜାରେ ତମ୍ବା କଳସ ସ୍ଥାପନ କରିବେ । ବୈଦିକ ପରମ୍ପରା ଅନୁଯାୟୀ, ମନ୍ଦିରର ଭୂମି ପୂଜା ପାଇଁ ବ୍ୟବହୃତ ହେଉଥିବା ତମ୍ବା କଳସର ସମସ୍ତ ଜଳ, ସର୍ବୋଶଧି ସହ ପଞ୍ଚରତ୍ନ ଯଥା ହୀରା, ନୀଳା, ମାଣିକ୍ୟ, ସୁନା ଏବଂ ପିତ୍ତଳ ଜଳ ସହିତ ରଖାଯିବ।
ବୈଦିକ ବାସ୍ତୁ ପୂଜନ ବିଧି ବିଧାନ ଅନୁଯାୟୀ, ନନ୍ଦା, ଭଦ୍ରା, ଜୟା, ରିକ୍ତା ଏବଂ ପୂର୍ଣ୍ଣା ନାମକ ପାଞ୍ଚଟି ଇଟା ବା ପଥର, କଳସ ପ୍ରତିଷ୍ଠା ପରେ ପୂଜା କରାଯିବ । ଏହି ବୈଦିକ ପୂଜା ପରେ ହିଁ ଭିତ୍ତିଭୂମିରେ ସମସ୍ତ ସାମଗ୍ରୀ ସ୍ଥାପନ କରି ମନ୍ଦିରର ଆନୁଷ୍ଠାନିକ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ସୂଚନା ଅନୁଯାୟୀ, ଶନିବାର ଦିନ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା ରାମ ମନ୍ଦିର ଟ୍ରଷ୍ଟ ର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ପାଇଁ ସମୟ ଅନୁକୂଳ ହୁଏ ସେତେବେଳେ ଭୁମିପୁଜନ ଦୁଇଟି ମୁହୂର୍ତ୍ତ (ଶ୍ରାବଣୀ ପୂର୍ଣ୍ଣିମା କିମ୍ବା ଦ୍ୱିତିଆ) ରେ କରାଯିବା ଉଚିତ୍ ।
ଟ୍ରଷ୍ଟ ଏବଂ ବିଶ୍ୱ ହିନ୍ଦୁ ପରିଷଦ ର ସୂତ୍ର ଅନୁଯାୟୀ, ଯଦିଓ ଜୁଲାଇ ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗସ୍ତ ବିବରଣୀ ତାଲିକା ଆସିବ ବୋଲି ଆଶା କରାଯାଉଛି, ତଥାପି ଭୂମି ପୂଜାର ପ୍ରସ୍ତୁତି ଚାଲିଛି । ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁଯାୟୀ, ଭୂମି ପୁଜନ କାର୍ଯ୍ୟକ୍ରମ ଅଗଷ୍ଟ ୫ ରେ, ଶୁଭ ସମୟ ସକାଳ ୮ ଟାରୁ ୧୨ ଟା ମଧ୍ୟରେ ଅନୁଷ୍ଠିତ ହେବ । ତେବେ ସରକାର ଏବଂ ରାଜନେତାଙ୍କ ପାଇଁ ଅଗଷ୍ଟ ୫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଦିନ ୨୦୧୯ ରେ , ଜମ୍ମୁ-କଶ୍ମୀରରେ ଧାରା ୩୭୦ କୁ ଉଚ୍ଛେଦ କରି ପ୍ରଶାସନିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା ।




