
ବାସ୍ତବ ବ୍ୟୁରୋ-ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ ଥିବା ଜଣାପଡିଛି । ସୋମବାର ଅପରାହ୍ନରେ ପ୍ରଣବ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି । ପ୍ରଣବ ମୁଖାର୍ଜୀ ଟୁଇଟ୍ କରି ଲେଖିଛନ୍ତି ଯେ, “ଅନ୍ୟ କାମ ପାଇଁ ଡାକ୍ତରଖାନା ଗସ୍ତରେ ଆସିଥିବା ବେଳେ ଆଜି ମୋର କରାଯାଇଥିବା କୋଭିଡ-୧୯ ରିିପୋର୍ଟ ପଜିଟିଭ୍ ଆସିଛି । ଗତ ସପ୍ତାହରେ ମୋ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମୁଁ ଅନୁରୋଧ କରୁଛି, ଦୟାକରି ନିଜକୁ ସଙ୍ଗରୋଧରେ ରଖି ନିଜର କରୋନା ପରୀକ୍ଷା କରାନ୍ତୁ ।“

ପ୍ରଣବ ମୁଖାର୍ଜୀଙ୍କୁ ୮୪ ବର୍ଷ ବୟସ, ତାଙ୍କ ବୟସ ଅଧିକ ହୋଇଥିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭେଟେରାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ମଧ୍ୟରେ ଦେଶର ରାଷ୍ଟ୍ରପତି ରହିଥିଲେ । ୨୦୧୯ ରେ କେନ୍ଦ୍ର ସରକାର, ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲା ।
ଦେଶରେ କରୋନାଭାଇରସ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଭିଭିଆଇପି ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅତୀତରେ କରୋନା ପଜିଟିଭ ଥିବା ଜଣାପଡିଥିଲା, ପରେ ତାଙ୍କୁ ମେଡାଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ଅର୍ଜୁନ ମେଘୱାଲ ଏବଂ ଅନ୍ୟ କେତେକ କେନ୍ଦ୍ର ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ବ୍ୟତୀତ ଅନେକ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି ।
