ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ – ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ…

     ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ  ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର (PSA Plant) ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ  ଭିତ୍ତିଭୂମିର  ଉଦ୍ଘାଟନ କରିଛନ୍ତି।  ଏହି ୮ଟି ଜିଲ୍ଲା ହେଉଛି – ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ ।


ସୂଚନାଯୋଗ୍ୟ ଯେ ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ  ଅକ୍‌ସିଜେନ  ଉତ୍ପାଦନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁନ୍ ୯ ତାରିଖରେ  ୭ଟି  ଓ ଆଜି ୮ଟି PSA Plantର ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ୨୦ଟି PSA Plant ଦ୍ବାରା ମିନିଟ୍‌ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍‌ସିଜେନ ଉତ୍ପାଦିତ ହୋଇପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି ।  ତଥାପି ଆମକୁ ଆହୁରି ସାବଧାନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଥିଲେ । ତୃତୀୟ ଲହର ପାଇଁ କେତେକ ରାଜ୍ୟରେ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି ବୋଲି ପ୍ରକାଶ କରି ଆମ ରାଜ୍ୟରେ ଏଥିପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।ଏଥିସହ ଡବଲ ମାସ୍କ ପିନ୍ଧିବା ଓ ଟୀକା ନିଶ୍ଚିତ ଭାବେ ନେବାପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ବିରୁଦ୍ଧରେ ଲଢେଇ ଜାରି ରହିଛି । ଅପ୍ରେଲରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଲହରରେ ରୋଗୀଙ୍କ ଅକ୍‌ସିଜେନ ସ୍ତର କମିବା ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ତେଣୁ ଆମର ସବୁ ହସ୍‌ପିଟାଲରେ ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ – ଏହା ହେଉଛି ଆମର ସବୁ ବିପର୍ଯ୍ୟୟ ପରିଚାଳନାର ଆଧାର । କୋଭିଡ କ୍ଷେତ୍ରରେ ମଧ୍ୟ ଏହି ଆଧାରରେ ସବୁ କୋଭିଡ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଓ ଔଷଧ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଗଧାଡିରେ ରହି କାମ କରୁଥିବା ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀଙ୍କୁ ସେମାନଙ୍କର ସେବା ଓ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ପରିଶେଷରେ ସମସ୍ତଙ୍କ ସହଯୋଗରେ ଓଡିଶା ସହିତ ସାରା ମାନବ ଜାତି କୋଭିଡ ଲଢେଇରେ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।

ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଶ୍ରୀ ନବ ଦାସ, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଶ୍ରୀ ସମୀର ଦାଶ, ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ରାଜ୍ୟସଭା ସାଂସଦ ଏବଂ ବିଧାୟକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୋଭିଡ ଲଢେଇରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।

ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। 

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ  ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳା ବ୍ଯାଜ୍ ପିନ୍ଧି କର୍ମ ରେ ଯୋଗ ଦେଲେ ଫାର୍ମାସିଷ୍ଟ...

Sat Jun 19 , 2021
ବାସ୍ତବବ୍ୟୁରୋ:(ଚାନ୍ଦବାଲି )୧୯/୦୬/୨୦୨୧ ଚାନ୍ଦବାଲି ବ୍ଲକ ଅଧୀନରେ ଥିବା ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯରତ ଫାର୍ମାସିଷ୍ଟ ମାନେ କଳାବ୍ଯାଜ ପିନ୍ଧିଥିବା ଜଣାପଡିଛି। ବିଭିନ୍ନ ଦାବିନେଇ ରାଜ୍ୟ ଫାର୍ମାସିଷ୍ଟ ସେବାସଙ୍ଘର ନିଷ୍ପତ୍ତି କ୍ରମେ ଫାର୍ମାସିଷ୍ଟ ମାନେ ସମୁହ ପ୍ରତିବାଦ ରେ ସାମିଲ ହୋଇଛନ୍ତି। ରାଜ୍ୟ ରେ କାର୍ଯ୍ୟ ରତ ଫାର୍ମାସିଷ୍ଟ ମାନଙ୍କର ଦରମା ଅସଙ୍ଗତି,ପଦନ୍ନତି,ଅତ୍ଯଧିକ କାର୍ଯ୍ୟ, ଏମ ଏଚୟୁ, ଆରବିଏସକେ, ଫାର୍ମାସିଷ୍ଟ ମାନଙ୍କୁ ନିୟମିତ ବା ସ୍ଥାୟୀ ନିଯୁକ୍ତି ଦେବା ,କୋଭିଡ ଯୋଧ୍ୟା […]

You May Like

Pin It on Pinterest