ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୭୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୧୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୮୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪ ନମ୍ବର ମାଛ ମାର୍କେଟ କୁ ସିଲ୍ କରାଯାଇଛି । ବିଏମ୍ସି ଅନିର୍ଦ୍ଧିଷ୍ଟ କାଳ ପାଇଁ ମାଛ ମାର୍କେଟକୁ ବନ୍ଦ କରିଛି । ଏହା ସହ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ ହୋଇଛି ।
କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ବରଦା ଗ୍ରାମ ନିକଟ ମହାନଦୀରୁ ଆଜି ସକାଳ ସାଢେ ୭ଟା ବେଳେ ମାଛ ମାରୁଥିବା ଜଣେ ମତ୍ସଜୀବୀଙ୍କ ଜାଲରେ ପଡିଥିବା ଏକ ଘଡିଆଳ କୁମ୍ଭୀରକୁ ସିଟି ଡିଏଫ୍ଓ ଉଦ୍ଧାର କରି ନନ୍ଦନକାନନରେ ଛାଡିଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାର ଚିକିତ୍ସା କରାଯିବ । ସ୍ୱାସ୍ଥ୍ୟ ଠିକ ହେବାପରେ ତାକୁ ପୁଣି ମହାନଦୀର ପ୍ରାକୃତିକ ବାସସ୍ଥାନ ମଧ୍ୟରେ ଛାଡି ଦିଆଯିବ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୯ ଲକ୍ଷ ୩୪ହଜାର ୪୫୫ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୭ ହଜାର ୮୬୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୦ ଲକ୍ଷ ୯୯ ହଜାର ୭୭୧ରେ ପହଁଚିଥିବା ବେଳେ ୪୨୭୮୬୨ଟି ସକ୍ରିୟ ମାମଲା ରହିଛି ।
ଦିଲ୍ଲୀରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ୯ ବର୍ଷର ଦଳିତ ନାବାଳିକାର ପରିବାର ଲୋକଙ୍କୁ ଭେଟି ଟ୍ୱିଟରରେ ଫଟୋ ସେୟାର କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଦୁଷ୍କର୍ମ ପୀଡିତା କି ତାଙ୍କ ପରିବାର ଲୋକଙ୍କ ଫଟୋକୁ ଏଭଳି ସୋସିଆଲ ମିଡିଆରେ ଛାଡିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହା ପରେ ରାହୁଲ ଗାନ୍ଧିଙ୍କ ଟ୍ୱିଟକୁ ହଟାଇଥିଲା ଟ୍ୱିଟର ।
ଆସାମ ଓ ମିଜୋରାମରେ ମଧ୍ୟରେ ସୀମା ବିବାଦକୁ ନେଇ ରାଜ୍ୟର ୩୦୬ ନମ୍ବର ଜାତୀୟ ରାଜପଥ ବନ୍ଦ ଥିବାରୁ ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ବିତରଣ ଉପରେ କଟକଣା ଲଗାଇଛନ୍ତି । ମିଜେରାମ ସରକାରଙ୍କ ନିଷ୍ପତ୍ତି ମୁତାବକ, ଦୈନିକ ୧୨, ୮ ଓ ୬ ଚକିଆ ବାହାନଗୁଡିକୁ ସର୍ବାଧିକ ୫୦ ଲିଟର, ମଧ୍ୟମ ବର୍ଗ ଯାନଗୁଡିକୁ ୨୦ ଲିଟର , କାରଗୁଡିକୁ ୧୦ ଲିଟର ଓ ବାଇ, ସ୍କୁଟର ଗୁଡିକୁ ଦୈନିକ ୩ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଦିଆଯିବ ।
ଲଗାଣ ବର୍ଷା ପରେ ରାଜସ୍ଥାନର ହଡୋତି, ବାରାଂ ଏବଂ କୋଟା ସମେତ ଅନେକ ଜିଲ୍ଲାରେ ବନ୍ୟାର ସ୍ଥିତି ଅସମ୍ଭାଳ ହୋଇଛି । କୋଟା ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଘର ଦ୍ୱାର, ବଜାର ହାଟ ସବୁଠି ପଶିଛି ବନ୍ୟା ପାଣି । ଏନଡିଆରଏଫ ଟିମ୍ ପହଞ୍ଚି ବୋଟ୍ ଜରିଆରେ ଲୋକଙ୍କୁ ସ୍ଥାନାନ୍ତର କାମ ଆରମ୍ଭ କରିଛି । ବନ୍ୟାର ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଗେହଲଟ ସରକାର ସେନାର ସାହାଯ୍ୟ ମାଗିଛନ୍ତି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୨୯ ଲକ୍ଷ ୨୮ ହଜାର ୨୩୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୯୮ ହଜାର ୬୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୨୨ ଲକ୍ଷ ୭୭ ହଜାର ୭୬୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୩ ଲକ୍ଷ ୫୧ ହଜାର ୮୨୬ ଜଣ ଲୋକ ସକ୍ରିୟ ଅଛନ୍ତି ।