
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସେପ୍ଟେମ୍ବର ମାସ ପାଇଁ ରାଜ୍ୟବାସୀଙ୍କ ମନରେ ନାନା କଳ୍ପନା ଜଳ୍ପନା ଲାଗିରହିଥିଲା କୋଭିଡ ଗାଇଡ଼ ଲାଇନ୍କୁ ନେଇ,ଯାହା ଆଜି ସରକାରୀ ସ୍ତରରେ ସେପ୍ଟେମ୍ବର ମାସକୁ ନେଇ କୋଭିଡ୍ ଗାଇଡଲାଇନ ଜାରି କରାଯାଇଛି ।
ଦୀର୍ଘ ୪ମାସ ଧରି ଜାରି ରହିଥିବା ରାଜ୍ୟବ୍ୟାପୀ ସାପ୍ତାହିକ ଶଟଡାଉନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ବିବାହ ଓ ବ୍ରତଘରରେ ସର୍ବାଧିକ ୨୫୦ଜଣ ଏବଂ ବର ରୋଷଣୀ ବା ବର ଶୋଭାଯାତ୍ରାରେ ସର୍ବାଧିକ ୫୦ଜଣ ଲୋକ ବ୍ୟାଣ୍ଡ-ବାଜା ବଜାଇ ଯାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ।ଶ୍ରୀ ଜେନା କହିଛନ୍ତି ଯେ, ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଅବଧି ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିପାରିବ।
ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟରେ ବ୍ୟବସାୟ,ବାଣିଜ୍ୟ ଓ ଅନ୍ୟାନ୍ୟ ସମସ୍ତ ଗତିବିଧି ସ୍ୱାଭାବିକ ଭାବେ ଚାଲିପାରିବ ।ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ଯ୍ୟକ୍ରମ ଉପରେ ପୂର୍ବବତ କଟକଣା ବଳବତ୍ତର ରହିଥିବା ବେଳେ, କୋଭିଡ୍ ନିୟମ ଭିତରେ ମଲ, ସିନେମା ହଲ ଖୋଲା ରହିବ । ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇପାରିବ। ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ଏସବୁ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାସମିତି ପାଇଁ ଅନୁମତି ଦିଆଯିବ ନାହିଁ।
ସେପ୍ଟେମ୍ବର ମାସରେ ଥିବା ସମସ୍ତ ପୂଜାପାର୍ବଣ ଗତ ଅଗଷ୍ଟ ୯ତାରିଖରେ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ପାଳନ କରାଯିବ। ତେବେ ସ୍ଥଳବିଶେଷରେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ, ପୁଲିସ କମିଶନର ମଧ୍ୟ ନିଜ କ୍ଷମତା ଉପଯୋଗ କରି ଅତିରିକ୍ତ କଟକଣା ଜାରି କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି।