
ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ରାଜନୀତି ବି ଜୋର ଧରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ୍ ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହିତ ଲିଙ୍କ୍ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ତଥା ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ଦଳ ଗୁଡ଼ିକ।

ଅନ୍ୟପକ୍ଷରେ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପାମା’। ଭଉଣୀକୁ ମନେ ପକାଇ କାନ୍ଦୁଛି ଭାଇ। ଝିଅକୁ ଝୁରି ଝୁରି ମା’ଙ୍କର ଚେତା ପଳାଉଛି। ପୁଣି ମମିତା ଥିଲେ ଘରର ଏକମାତ୍ର ରୋଜଗାରିଆ ସଦସ୍ୟ। ତାଙ୍କ ଅବର୍ତ୍ତମାନରେ ଦୋହଲି ଯାଇଛି ପରିବାରର ଆର୍ଥିକ ସ୍ଥିତି।
ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଆଜି ମମିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ। ଦୋଷୀମାନଙ୍କୁ ଉଚିତ୍ ଦଣ୍ଡ ଦେଇ ମମିତାଙ୍କୁ ନ୍ୟାୟ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମମିତାଙ୍କ ବାପା ପରିବାରର ଆର୍ଥିକ ସ୍ଥିତି ବିଷୟରେ ତାଙ୍କୁ ଅବଗତ କରିବା ସହିତ ସେହି ଦିଗରେ କିଛି ସହାୟତା କରିବା ପାଇଁ ଗୁହାରୀ କରିଥିଲେ।ଏହା ସହିତ ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଫାଶି ଦେବା ପାଇଁ ମମିତାଙ୍କ ବାପା ଦାବି କରିଛନ୍ତି।
ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି, ମମିତାଙ୍କୁ ହରାଇ ତାଙ୍କ ମା’ ବହୁତ ଅସୁସ୍ଥ ହୋଇପଡ଼ିଛନ୍ତି। ଦୋଷୀ ଯେପରି କଠୋରରୁ କଠୋରରୁ ଦଣ୍ଡ ପାଇବ ସେନେଇ କମିଶନ ପକ୍ଷରୁ ଚେଷ୍ଟା କରାଯାଉଛି। ପୁଲିସ୍ ବି ତଦନ୍ତ ଜାରି ରଖିଛି। ଏନେଇ ଏସ୍ପିଙ୍କ ସହିତ କଥା ହୋଇଛି। ଖୁବ୍ଶୀଘ୍ର ଚାର୍ଜଶିଟ୍ ଦାଖଲ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି କରାଯିବ। ମମିତାଙ୍କ ବାପାମା’ ମଧ୍ୟ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି, ମମିତାଙ୍କ ବାପାମା’ ଓ ପୂରା ପରିବାର କେମିତି ଭଲରେ ଓ ସୁରକ୍ଷିତ ଭାବେ ରହିବେ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସେମାନେ କିପରି ଭଲରେ ରହିପାରିବେ, ସେନେଇ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ।



