ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ବାସୀଙ୍କୁ ୯୦୦ କୋଟିର ଭେଟି, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବସିଲେ ମନ୍ତ୍ରୀ ଦିବ୍ୟଶଙ୍କର….

ଦୀପକ ସାହୁ(ଭବାନୀପାଟଣା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣା ଗସ୍ତରେ ଯାଇ,ଆଜି ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି ।ପ୍ରାୟ ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦିଆଯାଇଛି।ଏହା ସହିତ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ।ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନବକିଶୋର ଦାସ ଓ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,‘୯୦୦ କୋଟିର ପ୍ରକଳ୍ପର ଉଦଘାଟନ କରି ମୁଁ ବହୁତ ଖୁସି।କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି । କଳାହାଣ୍ଡିର ୬୮ ପ୍ରତିଶତ ଜମି ଆଜି ଜଳସେଚିତ ହୋଇଛି । ଧାନ, ମାଛ ଓ କପା ଉତ୍ପାଦନରେ କଳାହାଣ୍ଡି ଆଗରେ ରହିଛି । କଳାହାଣ୍ଡି ଆଜି ଏଜୁକେସନାଲ ହବ୍ ହୋଇପାରିଛି । କଳାହାଣ୍ଡିରେ ଖୁବଶୀଘ୍ର ମେଡିକାଲ କାମ ସରିବାକୁ ଯାଉଛି । କଳାହାଣ୍ଡି ଆଜି ବିଏସକେୟାଇରେ ସାମିଲ ହୋଇଛି । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ।ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ।’

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ ।ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଜିଲ୍ଲାରେ ଭିତ୍ତିଭୂମି କାମ ଖୁବ୍ ଦ୍ରୁତ ଗତିରେ ଜାରି ରହିଛି । ଜିଲ୍ଲାର ପ୍ରତି ଗାଁକୁ ପାଇପ ପାଣି ଯୋଗାଇ ଦେବାପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି ।ବିଜୁ ଏକ୍‌ସପ୍ରେସ ୱେ ହେଉ, ଭବାନୀପାଟଣା ବାଇପାସ୍‌, ଭବାନୀପାଟଣା-ରାୟଗଡା ରାସ୍ତା କାମ, ବିଭିନ୍ନ ଗ୍ରୀଡ ସବ୍‌ଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ,ଏମିତି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍ ସଫଳତାର ସହ ଆଗେଇ ଚାଲିଛି ।କଳାହାଣ୍ଡିରେ ମିଶନ ଶକ୍ତିର ମା ମାନେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି ।’

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ କଳାହାଣ୍ଡି ଆଜି ଏକ ବିଶିଷ୍ଟ ଶିକ୍ଷାକେନ୍ଦ୍ର ହୋଇପାରିଛି । କଳାହାଣ୍ଡି ୟୁନିଭରସିଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ ଆଜି କଳାହାଣ୍ଡିର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । କଳାହାଣ୍ଡିରେ ୧୦୦ ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'ଜଙ୍ଗଲର ଏନସାଇକ୍ଲୋପିଡ଼ିଆ' ତୁଲସୀ ଗୌଡା ଖଣ୍ଡିଏ ଶାଢ଼ୀ ରେ ଆବୃତ ଖାଲି ପାଦରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରିବାକୁ ପହଞ୍ଚିଲେ...

Tue Nov 9 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)-କର୍ଣ୍ଣାଟକର ୭୨ ବର୍ଷୀୟ ଆଦିବାସୀ ମହିଳା ତୁଲସୀ ଗୌଡାଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସୋମବାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଖାଲି ପାଦରେ ଏବଂ ପାରମ୍ପାରିକ ଧୋତି ପରି ପୋଷାକ ପିନ୍ଧି ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ସମାରୋହରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ଗ୍ରହଣ କରିଥିଲେ। କର୍ଣ୍ଣାଟକର ହାଲାକି ଆଦିବାସୀ ଜନଜାତିର ତୁଲସୀ ଗୋୱଡା ଏକ ଗରିବ ଏବଂ […]

You May Like

Pin It on Pinterest