ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୧ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୪୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୭୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୨୦୦୨ଜଣ ସୁସ୍ଥ ହୋଇଛନ୍ତି ।

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଶାୟୀମାନଙ୍କୁ ମିଳିବ ଆଉ ଏକ ସୁଯୋଗ । ଚଳିତ ମାସ ୩୧ ତାରିଖ ଯାଏଁ ଓଡ଼ିଶାରେ ଥିବା ଇଞ୍ଜିନିୟରିଂ କଲେଜଗୁଡିକରେ ନାମଲେଖା ଆବେଦନ କରିହେବ । ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍‌(ଓପେକା) ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।ଗୁରୁବାର ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ, ଜଷ୍ଟିସ୍‌ ବି ଆର୍‌ ଗଭାଇ, ଜଷ୍ଟିସ୍‌ ବି ଭି ନାଗାରତ୍ନଙ୍କ ମିଳିତ ବେଞ୍ଚରେ ଶୁଣାଣି କରି ଆସନ୍ତା ୩୧ ପର୍ଯ୍ୟନ୍ତ ଓଡ଼ିଶାରେ ଇଞ୍ଜିନିୟରିଂ ନାମଲେଖା ଆବେଦନ ହୋଇପାରିବ ବୋଲି କହିଛନ୍ତି ।

ରାଜ୍ୟର ୮ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୧ ଡିଗ୍ରି ସେଲସିଅସ୍ ତଳେ ଥିବାର ସୂଚନା ମିଳିଛି। ୬.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଅନ୍ୟ ଯେଉଁ ସହରର ତାପମାତ୍ରା ୧୧ ଡିଗ୍ରି ସେଲସିଅସ୍ ତଳେ ରହିଥିଲା, ସେୁଡ଼ିକ ହେଲା ଫୁଲବାଣୀ (୭.୫), କୋରାପୁଟ (୯), ଟିଟଲାଗଡ (୯.୩), ଝାରସୁଗୁଡ଼ା (୯.୬), କେନ୍ଦୁଝର (୯.୬), ସୁନ୍ଦରଗଡ (୧୦) ଓ ଭବାନୀପାଟଣା (୧୦)। ପାଣିପାଗ ବିଭାଗର ଆକଳନ ଯାହା, ଏବେ ଥଣ୍ଡା କମିବନି । ବରଂ ଶୀତ ଆହୁରି ବଢ଼ିବ । ଆସନ୍ତା ୨-୩ ଭିତରେ ୨/୩ ଡିଗ୍ରୀ କମିବ ପାରଦ । ଆସନ୍ତା ୨୧ ତାରିଖବେଳକୁ ପ୍ରଚଣ୍ଡ ଶୀତ ରେ ଥରୁଥିବ ସାରା ଓଡ଼ିଶା ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪୪୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୬୪୧୫ ସକ୍ରିୟ ମାମଲା ରହିଛି ଏବଂ ୩୪୧୬୨୭୬୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୭୬୮୬୯୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।    

ଉତ୍ତରାଖଣ୍ଡର ପିଥୋରଗଡ଼ରେ ଉପର କାଳୀ ଗଙ୍ଗା ଉପତ୍ୟକାରେ ଏକ ୫ କିମି ଲମ୍ବ ଗ୍ଲେସିୟର ଅଚାନକ ନିଜ ମାର୍ଗ ବଦଳାଇଛି। କୁଠି ୟାଙ୍କି ଘାଟିରେ ସୁମଜୁର୍କଚାଙ୍କି ନାମକ ଏକ ନିକଟବର୍ତ୍ତୀ ଗ୍ଲେସିୟର ସହିତ ଏହାର ବିଲୟ ହୋଇଯାଇଛି। ହିମାଳୟ ଭୂବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ମନିଷ ମେହେଟା କହିଛନ୍ତି ଯେ ହିମାଳୟର ଗ୍ଲେସିୟର ପ୍ରଥମ ଥର ପାଇଁ ଏଭଳି ଗତି ବଦଳାଇଛି। ଉତ୍ତରାଖଣ୍ଡରେ ପ୍ରାୟ ୧୪୦୦ଟି ଗ୍ଲାସିୟର ଅଛି, ସେଥିରୁ କେତେକ ଉପତ୍ୟକା ଏବଂ ଜନଜାତି ପାଇଁ ବିପଜ୍ଜନକ ଅଟେ।

 ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ୨୦୨୨ ମସିହା ଜାନୁଆରୀ ୧ ଠାରୁ ରାଜଧାନୀର ରାଜରାସ୍ତାରେ କୌଣସି ପ୍ରକାରର ପୁରୁଣା ଗାଡ଼ି ଚାଲି ପାରିବ ନାହିଁ। କାରଣ ସରକାର ଦିଲ୍ଲୀରେ ଥିବା ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା ଡିଜେଲ ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଭୁଟାନ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନଗାଦା ପେଲ ଗି ଖୋରଲୋରେ ସମ୍ମାନୀତି କରିଛି। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟୟା ଟଶେରିଙ୍ଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଏଥିସହ ଉଭୟ ଫେସବୁକ ଓ ଟ୍ୱିଟରେ ମୋଦିଙ୍କ ସହ ଲୋଟୟାଙ୍କ ଗୋଟିଏ ଫଟୋ ମଧ୍ୟ ଶେୟାର କରାଯାଇଛି। ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ପୁରସ୍କାର ପାଇଁ ଯୋଗ୍ୟ ଓ ଭୁଟାନବାସୀଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ।

କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ଓମିକ୍ରନ ଆହୁରି ଶକ୍ତିଶାଳୀ ରୂପ ଧାରଣ କରି ଦ୍ରୁତଗତିରେ ମାଡ଼ିବା ସହ ମୃତ୍ୟୁର କାରଣ ସାଜିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶବାସୀଙ୍କୁ ଓମିକ୍ରନକୁ ନେଇ ସତର୍କ କରାଇଛନ୍ତି। ଏଥିସହ ଓମିକ୍ରନରୁ ବର୍ତ୍ତିବା ପାଇଁ ସେ ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି ବାଇଡେନ କହିଛନ୍ତି, “କରୋନାର ଓମିକ୍ରନ ଭାରିଆଣ୍ଟ ଆମେରିକାରେ ଦ୍ରୁତଗତିରେ ବ୍ୟାପି ଯାଇପାରେ। ତେଣୁ ସମସ୍ତଙ୍କୁ ଟିକା ନେବାକୁ ପଡ଼ିବ। ଭାଇରସରୁ ସୁରକ୍ଷା ପାଇଁ ଟିକାକରଣ ଏକମାତ୍ର ଅସ୍ତ୍ର। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଶୀତ ଦିନେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଟିକାର ଡୋଜ୍‌ ହିଁ ଏବେ ଏକମାତ୍ର ଅସ୍ତ୍ର। ଟିକା ନେଇ ନଥିବା ଲୋକମାନେ ଶୀତ ଋତୁରେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବା ସହ ପ୍ରାଣ ହରାଇ ପାରନ୍ତି ବୋଲି ସେ କହିଛନ୍ତି।”

ଗୁରୁବାର ଏକ ଶକ୍ତିଶାଳୀ ଟାଇଫୁନ୍ (ସାମୁଦ୍ରିକ ଝଡ଼) ‘ରାଇ’ ଆସୁଥିବାରୁ ଫିଲିପାଇନ୍ସ ଉପକୂଳବର୍ତ୍ତୀ ଅଞ୍ଚଳରୁ ଏବଂ ସମୁଦ୍ରକୂଳିଆ ରିସର୍ଟଗୁଡ଼ିକରୁ ହଜାର ହଜାର ଲୋକ ଦୂର ନିରାପଦ ସ୍ଥାନକୁ ପଳାୟନ କରୁଥିବା ଦେଖିବାକୁ ମିଳିଛି। ଏହା ପଛକୁ ପ୍ରଳୟକାରୀ ଝଡ଼ ଓ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଫିଲିପାଇନ୍ସ ହେଉଛି ପ୍ରଶାନ୍ତ ମହାସାଗର ଭିତରେ ଅବସ୍ଥିତ ଏକ ଦ୍ବୀପଦେଶ। ପ୍ରାୟ ୭୦୦୦ ଦ୍ବୀପକୁ ନେଇ ଏହି ଦେଶଟି ଗଠିତ। ବିଭିନ୍ନ ସମୟରେ ଟାଇଫୁନ୍ ଓ ସାମୁଦ୍ରିକ ଝଡ଼ ଏହାର କାଳ ହୋଇଥାଏ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ ଜଙ୍ଗ ଉନଙ୍କ ଅଜବ ନିର୍ଦ୍ଦେଶ । ଦେଶର ପୂର୍ବତନ ଶାସକ ତଥା ବାପା କିମ ଜଙ୍ଗ ଇଲ୍‌ଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ୧୧ ଦିନ ପାଇଁ ହସିବା ଉପରେ ରୋଗ ଲଗା ଯାଇଛି। ୧୧ ଦିନ ଧରି ଉତ୍ତର କୋରିଆର ଲୋକମାନେ କିଙ୍ଗ ଜଙ୍ଗ ଇଲ୍‌ଙ୍କ ପାଇଁ ଶୋକ ପାଳିବେ। ଏହି ସମୟରେ କେହି ବି ହସି ପାରିବେ ନାହିଁ କିମ୍ବା କୌଣସି ଉତ୍ସବ ପାଳନ କରିପାରିବେ ନାହିଁ। ସେହିପରି ୧୧ ଦିନ ପାଇଁ ମଦ ପିଇବା ଉପରେ ମଧ୍ୟ ରୋକ ଲଗାଯାଇଛି। ଏହାର ଅର୍ଥ ୧୧ ଦିନ କାଳ ସାଧାରଣ ଲୋକ କିମ୍ବା ସରକାରୀ କର୍ମଚାରୀ ନିଜର ଖୁସି ଜାହିର କରିପାରିବେ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Dec 18 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୨ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୬୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୨୨୨୪ଜଣ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest