
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଆଜି ଗିରଫକଲା ଭିଜିଲାନ୍ସ । ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ତଥା ଟଙ୍କା ଲୁଚାଇବାରେ ସହଯୋଗ କରିବା ଅଭିଯୋଗରେ କଳ୍ପନାଙ୍କୁ ଗିରଫ କରାଯାଇଛି।
ଗତକାଲି କଳ୍ପନାଙ୍କୁ ଜେରା ବେଳ ଜଣା ପଡିଥିଲା ଯେ, ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ତାଙ୍କ ଭଉଣୀ ଘରେ ଟଙ୍କା ଓ ସୁନା ଲୁଚାଇ ରଖିଛନ୍ତି। ଆଜି ଭୋରରେ ଭିଜିଲାନ୍ସ ଅଧିକାରୀମାନେ ସେଠାରେ ଚଢ଼ାଉ କରି ୧ କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଥିଲେ। ଏହା ପରେ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ (କଳ୍ପନା), ଶାଳି ଓ ପୁତୁରାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏମିତିକି ଏହି ତିନି ଜଣଙ୍କୁ କାର୍ତ୍ତିକେଶ୍ୱର ସହ ମୁହାଁମୁହିଁ ବସାଇ ଜେରା କରିଥିଲେ ଭିଜିଲାନ୍ସ ଅଧିକାରୀ। ଏହି ଜେରା ପରେ ଭିଜିଲାନ୍ସ କଳ୍ପନାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
୬ ଓ ୭ ତାରିଖରେ ଭିଜିଲାନ୍ସ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ନଗଦ ୨ କୋଟି ୩ ଲକ୍ଷ ୮୮୦ ଟଙ୍କା ଜବତ କରିଥିଲେ । ଆଉ ଏହି ଟଙ୍କାକୁ ମିଶାଇ ତାଙ୍କର ୪.୭୬ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ତେବେ ଆଜି କାର୍ତ୍ତିକେଶ୍ୱରଙ୍କ ଶାଳି (ଦ୍ୱିତୀୟ ପତ୍ନୀଙ୍କ ଭଉଣୀ)ଙ୍କ ଘରେ ଚଢ଼ାଉ ବେଳେ ଆହୁରି ୧.୪୧ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ବି କାର୍ତ୍ତିକେଶ୍ୱରଙ୍କର। ଅର୍ଥାତ୍ ତାଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ୩.୪୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଗଲାଣି। ଚଢ଼ାଉ ବେଳେ ନଗଦ ଟଙ୍କା ଜବତ କରିବାରେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ।