
ଭୁବନେଶ୍ବର: କାୟା ବିସ୍ତରୁଛି ସାମୁଦ୍ରିକ ବାତ୍ୟା ‘ଅସାନି’ । ଭାରତୀୟ ପାଣିପାଗ ବିଭାଗର ୧୩ ନମ୍ବର ବୁଲେଟିନ୍ରୁ ଜଣାପଡ଼ିଛି ଯେ, ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି ବାତ୍ୟା ‘ଅସାନି।
ଭାରତୀୟ ପାଣିପାଗ ବିଭାଗ ମତରେ ,ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୫ କିଲୋମିଟର୍ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ଭୋର୍ ୮.୩୦ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ନିକଟ ୧୪.୦ ଡିଗ୍ରି ଉତ୍ତର ଅକ୍ଷାଂଶ ଏବଂ ୮୬.୦ ଡିଗ୍ରି ପୂର୍ବ ଦ୍ରାଘିମା ମଧ୍ୟରେ କେନ୍ଦ୍ରୀଭୂତ ହୋଇ ରହିଥିଲା।

ସ୍ଥଳଭାଗ ହିସାବରେ ଦେଖିଲେ,ନିକୋବର ଦ୍ବୀପପୁଞ୍ଜ ର ପ୍ରାୟ ୯୨୦ କିଲୋମିଟର୍ ଉତ୍ତରପଶ୍ଚିମ, ପୋର୍ଟବ୍ଲେୟାର୍ର (ଆଣ୍ଡାମାନ ଦ୍ବୀପପୁଞ୍ଜ) ୭୭୦ କିଲୋମିଟର୍ ପଶ୍ଚିମ-ଉତ୍ତରପଶ୍ଚିମ, ବିଶାଖାପାଟଣାର (ଆନ୍ଧ୍ରପ୍ରଦେଶ) ୫୦୦ କିଲୋମିଟର୍ ଦକ୍ଷିଣପୂର୍ବ ଏବଂ ପୁରୀର (ଓଡ଼ିଶା) ଦକ୍ଷିଣକୁ ୬୮୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।
ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ବାତ୍ୟା ‘ଅସାନି’ ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମଧ୍ୟସ୍ଥ ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାପରେ, ଏହା ଓଡ଼ିଶା ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରର ଉତ୍ତର-ଉତ୍ତରପଶ୍ଚିମକୁ ମୋଡ଼ ବଦଳାଇ ପାରେ। ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ବାତ୍ୟା କ୍ରମଶଃ ଦୁର୍ବଳ ହେବ ।