
ତ୍ରିନାଥ ବାରିକ(ପୁରୀ): ଶୁକ୍ରବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି ସାଂସଦ ପିନାକୀ ମିଶ୍ର।ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଛି । ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ।
ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି, ବ୍ୟକ୍ତି ବିଶେଷ ଏହି ପ୍ରକଳ୍ପ କାର୍ଯ୍ୟ ରୋକି ପାରିବେନି। ଏହି କାର୍ଯ୍ୟ ଆଇନ କି ବେଆଇନ ଭାବେ ହେଉଛି ତାହା କୋର୍ଟରେ ମାମଲା ଥିବା ବେଳେ ଏ ନେଇ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ।
ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ କୌଣସି ରୋକ ନାହିଁ। ମହାପ୍ରଭୁଙ୍କ ଇଛା ଓ ପୁରୀବାସୀଙ୍କ ସହଯୋଗ ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ବୋଲି ପିନାକୀ ମିଶ୍ର ବିରୋଧୀଙ୍କୁ ଜବାବ ଦେଇଛନ୍ତି ।



