
ପ୍ରମୋଦ ନାଏକ(ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ର ଆଜି ନବୀକରଣ କରିଛନ୍ତି । ନବଗଠିତ ମନ୍ତ୍ରିମଣ୍ଡଳକୁ ନେଇ ରାଜନୀତି ଓ ବିଭିନ୍ନ ମହଲରେ ଆଲୋଚନା ହୋଇଛି । କୁହାଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “କଳଙ୍କ ନଲଗାଇ, କଳଙ୍କ ଛଡାଇଲେ” । ବାଦ ପଡିଥିବା ମନ୍ତ୍ରୀଙ୍କ ଭିତରୁ ଯେଉଁମାନେ ବିବାଦୀୟ ହୋଇପଡିଥିଲେ ସେମାନଙ୍କ ଭିତରୁ ଅଧିକାଂଶକୁ ମନ୍ତ୍ରିମଣ୍ଡଳ ଶପଥ ଉତ୍ସବରେ ଦେଖିବାକୁ ମିଳିନଥିଲା।ଏ କଥା ବି କୁହାଯାଉଛି ବିରୋଧୀଙ୍କ କଥାକୁ ନବୀନ ଅଣଦେଖା କରୁଛନ୍ତି ତା କହିବା ଠିକ ହେବ ନାହିଁ । ସେ ତାଙ୍କ ଷ୍ଟାଇଲରେ ରେ ସମୟ ଦେଖି ମାଡ ମାରନ୍ତି ବୋଲି ଅନେକ ମତ ଦେଉଛନ୍ତି।
ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ୧୨ ଜଣଙ୍କ ମଧ୍ୟରୁ ପ୍ରାୟ ୬ ଜଣଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସ୍ୱର ଉଠାଇଥିଲେ। ଏମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବା ପାଇଁ ବିରୋଧୀ ବହୁ ଆନ୍ଦୋଳନ ତୁମ୍ବୁ ତୋଫାନ ,ବିଧାନସଭା ରେ ଘଣ୍ଟ ବାଡ଼େଇ,ବିଭିନ୍ନ ଫୋରମ ରେ ହୋ ହାଲ୍କା କରିଥିଲେ। ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଉଦ୍ୟମ କରିଥିଲେ। ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଅରୁଣ ସାହୁଙ୍କ ବିରୁଦ୍ଧରେ ନାବାଳିକା ପରି ହତ୍ୟା ଘଟଣାକୁ ନେଇ ବହୁ ତୁମ୍ଭି ତୋଫାନ ବିରୋଧୀ କରିଥିଲେ।
କେବଳ ଏ ଗୋଟିଏ ଘଟଣା ନୁହେଁ ଅନ୍ୟାନ ସଂଗୀନ ଅପରାଧ ଘଟଣାକୁ ନେଇ ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ପ୍ରତାପ ଜେନା ଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଥିଲା। ଏପରିକି କୋର୍ଟ ମଧ୍ୟ ମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଆଦେଶ ଦେଇଥିଲେ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ଅନେକ ଦିନ ଧରି ବିରୋଧୀ ଆନ୍ଦୋଳନ କରିଥିଲେ। ମମତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ରାଜନୀତି ଉଠିଥିଲା ପଡିଥିଲା । ବିଧାନସଭାଠୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁଆଡେ ସରକାରଙ୍କୁ ବହୁ ଅପଦସ୍ତ ହେବାକୁ ପଡିଥିଲା। ତାଙ୍କ ଇସ୍ତଫା ଦାବିରେ ବିରୋଧୀ ଅଡ଼ି ବସିଥିଲେ। ଏପରିକି ବିରୋଧୀ ବିଧାନସଭା ଅଚଳ କରିଥିଲେ।
ଜଣେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ଜଙ୍ଗଲ ମନ୍ତ୍ରୀ ଥିବା ବେଳେ ବିକ୍ରମକେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା। ଏହି ଘଟଣାରେ ମନ୍ତ୍ରୀଙ୍କ ବିରୋଧରେ ବିରୋଧୀ ସ୍ୱର ଉଠାଇଥିଲେ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ସରକାର ହଟାଇ ଦେଇଥିଲେ। ସୁଦାମ ମାରାଣ୍ଡିଙ୍କ ବିରୋଧରେ ମୟୁରଭଞ୍ଜ ଜିଲ୍ଲାରେ ଅନେକ ଆନ୍ଦୋଳନ ମୁଣ୍ଡ ଟେକିଥିଲା ତାଙ୍କୁ ହଟାଇବା ପାଇଁ ଦାବି ଉଠିଥିଲା। ସୁଶାନ୍ତ ସିଂଙ୍କ ବିରୋଧରେ ବି ସଂଗୀନ ଅଭିଯୋଗ ଆସିଥିଲା। ବିଭିନ ଅପରାଧିକ ଘଟଣାରେ ତାଙ୍କର ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା । ସେ ମନ୍ତ୍ରୀ ହୋଇ ସିଧାସଳଖ ବିଭିନ୍ନ ଅପରାଧିକ ଘଟଣାରେ ସାମିଲ ହେବା ଘଟଣାକୁ ନାପସନ୍ଦ କରାଯଇଥିଲା। ତାଙ୍କ ଇସ୍ତଫା ନେଇ ମଧ୍ୟ ଦାବି ଉଠିଥିଲା।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ବି ପରକ୍ରିୟା ପ୍ରୀତିକୁ ନେଇ ଅଭିଯୋଗ ଆସିଥିଲା। ତାଙ୍କ ବିରୋଧରେ ଅନେକ ଫଟୋ ଓ ଭିଡ଼ିଓ ପ୍ରକାଶ ପାଇଥିଲା। ତାଙ୍କୁ ହଟାଇବା ପାଇଁ ମଧ୍ୟ ବିରୋଧୀ ଆନ୍ଦୋଳନ କରିଥିଲେ।ବିଭିନ୍ନ ପର୍ଯ୍ୟାୟରେ ଏହି ନେତାମାନଙ୍କ ବିରୋଧରେ ଅଭିଯୋଗ ଆସିଥିଲେ ବି ନବୀନ ସେମାନଙ୍କୁ ବିଦା କରିନଥିଲେ କି ବିରୋଧୀଙ୍କ ଦାବିକୁ ମାନି ମନ୍ତ୍ରୀମାନଙ୍କୁ ହଟାଇ ” କଳଙ୍କ ର କାଳିମା” ଲଗାଇନଥିଲେ।
ଏବେ ମନ୍ତ୍ରିମଣ୍ଡଳର ନବୀକରଣ କଲା ବେଳେ ଅତି ଚତୁରତାର ସହ ମନ୍ତ୍ରିମଣ୍ଡଳରୁ ଏମାନଙ୍କୁ ନବୀନ ଦୂରେଇ ଦେଇଛନ୍ତି। ଅନ୍ୟ ମନ୍ତ୍ରୀମାନଙ୍କ ସହ ସେମାନଙ୍କୁ ବିଦା କରିଦେଇଥିବାରୁ ବିରୋଧୀ ଆଉ ଦାଗ ଯୋଗୁ ବିଦା କରାଗଲା ବୋଲି କହିପାରିବେ ନାହିଁ। କିନ୍ତୁ “ଦାଗ” ଯୋଗୁ ଏହି ମନ୍ତ୍ରୀମାନଙ୍କୁ ବିଦା କରାଗଲା ଏ କଥା ବୁଝିବାକୁ ଅଛପା ନାହିଁ। ବିକ୍ରମକେଶରୀ ଆରୁଖଙ୍କ ସିଧା ସଳଖ ଭାବେ ସଂପୃକ୍ତ ନଥିବା ଯୋଗୁ ମନ୍ତ୍ରିମଣ୍ଡଳରୁ ଗୋଟେ ପଟେ ବାଦ ଦେଇଥିଲେ ବି ଅନ୍ୟ ପଟେ ତାଙ୍କୁ ବାଚସ୍ପତି କରିବାକୁ ନିଷ୍ପତି ନେଇଥିବାରୁ ଆଉ ତାଙ୍କୁ କେହି ଦାଗ ଯୋଗୁ ବିଦା ହେଲେ ବୋଲି କହିବେ ନାହିଁ।
କିନ୍ତୁ ନବଦାସଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆସିଥିଲା । ବିରୋଧୀ ତାଙ୍କ ଇସ୍ତଫା ନେଇ ବହୁ ଆନ୍ଦୋଳନ କରିଥିଲେ। ତାଙ୍କ ରୋଷେଆଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସେ ସନ୍ଦେହ ଘେରକୁ ଆସିଥିଲେ । କିନ୍ତୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ରଖାଯାଇଥିବାରୁ ବାଦପଡିଥିବା ମନ୍ତ୍ରୀଙ୍କ ସମର୍ଥକ ମାନେ ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏ କେଉଁ ପ୍ରକାର ନୀତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଓ ବୁଦ୍ଧି ଯିବି ପ୍ରଶ୍ନ କରିଛନ୍ତି ।