
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ିବା ମୁଡରେ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଛନ୍ତି ରାହୁଲ ଗାନ୍ଧି। କ୍ରମାଗତ ତୃତୀୟ ଦିନକୁ ମିଶାଇ ୨୯ ଘଣ୍ଟା ରାହୁଲଙ୍କୁ ଜେରା କରିଥିଲେ ମଧ୍ୟ ଇଡି ଆହୁରି କିଛି ଜାଣିବାକୁ ଚାହୁଁଛି । ସେଥିପାଇଁ ପୁଣି ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ରାହୁଲଙ୍କୁ ହାଜର ହେବାକୁ ନୋଟିସ କରିଛି ଇଡି।
ନ୍ୟାଶନାଲ ହେରାଲ୍ଡ ଓ ୟଙ୍ଗ ଇଣ୍ଡିଆ କମ୍ପାନୀରେ ଥିବା ତାଙ୍କ ଭୂମିକା ସମ୍ପର୍କରେ,ସୋମବାର ୯ ଘଣ୍ଟା, ମଙ୍ଗଳବାର ୧୦ ଘଣ୍ଟା ଓ ବୁଧବାର ମଧ୍ୟ ପ୍ରାୟ ୧୦ ଘଣ୍ଟା ଧରି ରାହୁଲଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା ଇଡି। ଏଥିସହ ରାହୁଲଙ୍କ ଅଡିଓ ଓ ଭିଡିଓ ମଧ୍ୟ ଇଡିର ୩ ଜଣିଆ ଟିମ୍ ରେକର୍ଡ କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଆଉ କିଛି ପ୍ରଶ୍ନ ବଳି ପଡ଼ିଛି। ତେଣୁ ତାଙ୍କୁ ଶୁକ୍ରବାର ହାଜର ହେବାକୁ କୁହାଯାଇଛି।
ରାହୁଲଙ୍କ ପ୍ରତି ଇଡି ଏତାଦୃଶ୍ୟ କାର୍ଯ୍ୟକୁ କଂଗ୍ରେସ ବିରୋଧ କରିଛି। ଆଜି ରାହୁଲଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଥିବା ବେଳେ ଦିଲ୍ଲୀ ପୁଲିସ୍ର କର୍ମଚାରୀମାନେ ଦଳର ମୁଖ୍ୟାଳୟରେ ପଶି ଠେଲାପେଲା କରିଛନ୍ତି। ଏହା ବିରୋଧରେ କଂଗ୍ରେସ କର୍ମୀ ଓ ନେତାମାନେ ଆଜି ଦେଶରେ ଥିବା ସମସ୍ତ ରାଜଭବନ ଘେରାଉ କରିବେ। ସେହିପରି ଦିନକ ପରେ ଜିଲ୍ଲା ସଦର ମହକୁମାରେ ମଧ୍ୟ ଦଳ ସମସ୍ତ କେନ୍ଦ୍ରୀୟ ଅଫିସ ଗୁଡ଼ିକ ଆଗରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି।