
ଏସ୍ ବାସ୍ତବ:ଆଜି ସଂଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଏକାନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ସିନ୍ଦେ ମରାଠୀରେ ଶପଥ ନେଇଛନ୍ତି। ସେହିପରି ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏକ ଟୁଇଟ କରି ମୋଦୀ ଲେଖିଛନ୍ତି ଯେ “ଏକନାଥ ସିନ୍ଦେ ଜଣେ ତୃଣମୂଳ ସ୍ତରର କର୍ମୀ ଓ ତାଙ୍କର ଅନେକ ବର୍ଷର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା ରହିଛି । ମୁଁ ନିଶ୍ଚିତ ଯେ ସେ ମହାରାଷ୍ଟ୍ରକୁ ଏକ ନୂଆ ଉଚ୍ଚତାକୁ ନେବାରେ ସହାୟକ ହେବେ ।”
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ମଧ୍ୟ ସିନ୍ଦେ ଓ ଫଡନବୀସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନବିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ। ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜେ ଟ୍ୱିଟ୍ କରି ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦଳ ଚାହୁଁଥିବା କହିଥିଲେ।