
ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାସହ ଦେଶର ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ କରିବେ। ଶ୍ରୀମତୀ ମୁର୍ମୁ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ସବୁ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାରୁ ସୁଅ ଛୁଟିଛି ।
ତାଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଲେଖିଛନ୍ତି, ଯେ ଭାରତରେ ଆଜି ଇତିହାସ ସୃଷ୍ଟି ହୋଇଛି । ଭାରତର ଜନତା ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବେଳେ ପୂର୍ବ ଭାରତର ଏକ ଦୁର୍ଗମ ଅଂଚଳରେ ଏକ ଆଦିବାସୀ ପରିବାରରେ ଜନ୍ମିତ ଭାରତର ଜଣେ ଝିଅ ଆମର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଏହି ସଫଳତା ପାଇଁ ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ।
ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ । ୨୦୧୫ ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ୨୦୦୦ ଓ ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।