
ରାଉରକେଲା: ଆସନ୍ତା ୧୩ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଉରକେଲା ଗସ୍ତରେ ଆସୁଛନ୍ତି। ଏଥିସହ ଜିଲ୍ଲା ବିଜେପି ପାର୍ଟି ଅଫିସ୍ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।ଦୁଇ ଦିନ ତଳେ ଶାହାଂକ ଗୁରୁମନ୍ତ୍ର ପାଇ,ଓଡିଶା ବିଜେବି ନିଦରୁ ଉଠିଥିବା ବେଳେ,ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ସୁନ୍ଦରଗଡ଼ ବିଜେପି ଶିବିର। ପୁରା ତତ୍ପର ହୋଇଛନ୍ତି ବିଜେପିର ନେତା ଓ କର୍ମୀ। ଧର୍ମେନ୍ଦ୍ର ଗସ୍ତକୁ ସଫଳ କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଚାଲିଛି।
ଏହି ପରି ପେକ୍ଷିରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ସଭାପତିତ୍ବରେ ସେକ୍ଟର-୩ ପାର୍ଟି ଅଫିସ୍ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଜାଦି କା ଅମୃ୍ତ ମହୋତ୍ସବ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ପ୍ରଭାରୀ ରବି ନାୟକ ହର ହର ତ୍ରିରଙ୍ଗା -ଘର ଘର ତ୍ରିରଙ୍ଗା ପଦଯାତ୍ରା ପ୍ରତ୍ୟେକ ମଣ୍ଡଳ ସ୍ତରରେ କରି ସାଧାରଣ ଲୋକଙ୍କୁ ସାମିଲ କରିବାକୁ କହିଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ବାଗତ କରିବାକୁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଥିଲା । ଧର୍ମେନ୍ଦ୍ରଙ୍କୁ ବିର୍ସା ମୁଣ୍ଡା ଛକରୁ ସହରର ମୁଖ୍ୟମାର୍ଗ ଦେଇ ଦ୍ବିତୀୟ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ମୋଟରବାଇକ୍ ରାଲିରେ ପାଛୋଟି ନେବାକୁ ମଧ୍ୟ ସ୍ଥିର ହୋଇଛି। ତ୍ରିରଙ୍ଗା ପତାକା ସହ ୨ ହଜାରରୁ ଅଧିକ ନେତା ଓ କର୍ମୀ ମୋଟରବାଇକ୍ ରାଲିରେ ସାମିଲ ହେବେ। ବୈଠକରେ ବରିଷ୍ଠ ନେତୃତ୍ବ ଧୀରେନ ସେନାପତି, ନିହାର ରାୟ, ଜଗବନ୍ଧୁ ବେହେରା, ମୁଖପାତ୍ର ଭଗବାନ ରାଉତ, ଜିଲ୍ଲା କମିଟିର ସଦସ୍ୟ, ବିଭିନ୍ନ ମୋର୍ଚ୍ଚାର ସଭାପତି, ବିଭିନ୍ନ ମଣ୍ଡଳର ସଭାପତି ଓ ପୂର୍ବତନ ମଣ୍ଡଳ ସଭାପତିମାନେ ଯୋଗ ଦେଇ ଥିଲେ।



