ବାସ୍ତବ ବ୍ୟୁରୋ: ମଧ୍ୟରାତ୍ରରେ ମାଡ଼ ହେଲା ବାତ୍ୟା ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ‘ଦାନା’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଟଳିପଡ଼ିଥିଲା ଅନେକ ଗଛ। ଭାଙ୍ଗି ଯାଇଥିଲା ଚାଳ ଛପର ଘର।
‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଦୂର୍ବଳ ହେବ ଦାନା। ତେବେ ବାତ୍ୟା ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।
ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ମାଟି କାନ୍ଥ ଘର ଭାଙ୍ଗିଯାଇଛି , ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି । ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛ। ଏପଟେ ସମୂଦ୍ର ପାଣି ଗାଁ ଭିତରକୁ ପଶିଆଶିବାରୁ ଶହ ଶହ ପରିବାର ପାଣିଘେରରେ । ଏପରିକି ଝଡ଼ବର୍ଷା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବନ୍ୟଜନ୍ତୁ। ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି।
ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି । କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର । ତିନି ମିଟର ଉଚ୍ଚର ଜୁଆର ମାଡ଼ ଦ୍ବାରା କେତେକ ସ୍ଥାନରେ ଅତଡ଼ା ଖାଉଛି ।
ଅନ୍ୟପକ୍ଷରେ ବାତ୍ୟା ‘ଦାନା’ର ପ୍ରଭାବରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ପାଇଁ ରାଜ୍ୟର ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁର ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।



