ଝାରସୁଗୁଡ଼ା ଜିଲ୍ଲାର ଯୁବକଯୁବତୀଙ୍କ ବୈଷୟିକ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶାସନର ପଦକ୍ଷେପ…

CIPET ବାଲେଶ୍ଵର ସହ ଏମଓୟୁ ସ୍ଵାକ୍ଷରିତ

୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ମିଳିବ ନାମଲେଖା ସୁଯୋଗ

ଝାରସୁଗୁଡ଼ା(ବାସ୍ତବକଥା): ଝାରସୁଗୁଡ଼ା ଜିଲ୍ଲାର ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଜିଲ୍ଲାର ଯୁବପିଢ଼ିଙ୍କୁ ବାଲେଶ୍ଵରସ୍ଥିତ ପ୍ରତିଷ୍ଠିତ ‘ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ (CIPET) ଠାରେ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ସୁବିଧା ପ୍ରଦାନ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ଵାକ୍ଷରିତ ହୋଇଯାଇଛି।

ଏହି ସ୍ୱାକ୍ଷର କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀମତୀ ସଙ୍ଗୀତା କୁମାରୀ ମେହେର, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସାମାଜିକ ତଥା ଜୀବିକା ପ୍ରବନ୍ଧକ ଶ୍ରୀ ତୁଷାରକାନ୍ତ ମହନ୍ତ ଏବଂ ସିପେଟ୍ ବାଲେଶ୍ଵରର ବରିଷ୍ଠ ବୈଷୟିକ ଅଧିକାରୀ ଡ. ଇରଫାନ ଅହମ୍ମଦ ମୀର ପ୍ରମୁଖ ଉପସ୍ଥିତ ରହି ଚୁକ୍ତିପତ୍ର ଆଦାନପ୍ରଦାନ କରିଥିଲେ। ଏହି ଯୁଗ୍ମ ପଦକ୍ଷେପ ମାଧ୍ୟମରେ ଜିଲ୍ଲାର ଯୁବବର୍ଗଙ୍କ ମଧ୍ୟରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ ହୋଇପାରିବ।

ଏହା ଦ୍ୱାରା ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହିତ ଆଗାମୀ ଦିନରେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ଉନ୍ନତ ଜୀବିକା ନିର୍ବାହ ଦିଗରେ ଏକ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି।

ସେୟାର କରନ୍ତୁ

Next Post

ନଭେମ୍ବର ୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୁଲଡିହା ଅଭୟାରଣ୍ୟ....

Tue Oct 27 , 2026
ବାଲେଶ୍ୱର,୨୭ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ନୂଆ ପର୍ଯ୍ୟଟନ ଋତୁରେ ପ୍ରକୃତିର ମନୋରମ ପରିବେଶ ଓ ବନ୍ୟପ୍ରାଣୀଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବାଲେଶ୍ୱର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଆସନ୍ତା ନଭେମ୍ବର ୪ ତାରିଖରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଦିବାକାଳୀନ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବ। ଏ ନେଇ ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ପକ୍ଷରୁ ଅକ୍ଟୋବର ୨୬ […]

You May Like

Pin It on Pinterest