ବିଜେପିର ଓଡ଼ିଶା ବିରୋଧୀ ଆଭିମୁଖ୍ୟର ଜବାବ ଓଡ଼ିଶାବାସୀ ଦେଇଚାଲିଛନ୍ତି,ଲୋକସଭା ଆସନ ୮ରୁ ୩ ଓ ବିଧାନସଭା ଆସନ ୨୩ରୁ ୧୩କୁ ଖସିବ-ଦାମୋଦର ରାଉତ

ପ୍ରମୋଦ ନାୟକ(ଭୁବନେଶ୍ବର): ବହୁଦିନ ପରେ ବିଜେପିର ମିଛ ଆସ୍ଫାଳନକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ୨୦୨୪ ଲୋକସଭା ନିର୍ବାଚନରେ,ବିଜେପି ଓଡ଼ିଶାରେ ୧୬ଟି ଲୋକସଭା ଆସନ ଜିତିବ ବୋଲି ଗତକାଲି କରିଥିବା ଆକଳନର ଦୃଢ ଜବାବ ରଖିଛନ୍ତି ଶ୍ରୀ ରାଉତ। ଶ୍ରୀ ରାୟଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ଆଚରଣ ଯୋଗୁ ବିଜେପି ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିବ। ଲୋକସଭା ଆସନ ୮ରୁ ୩ ଓ ବିଧାନସଭା ଆସନ ୨୩ରୁ ୧୩କୁ ଖସିବ।

ଶ୍ରୀ ରାଉତ କହିଛନ୍ତି, କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ଯେଉଁ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ସଂଘୀୟ ବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି। ନିଜର ସାମ୍ବିଧାନିକ ସ୍ଥିତି, ଦାୟିତ୍ବ ଓ କର୍ତ୍ତବ୍ୟ ନେଇ ସେମାନେ ସଚେତନ ନାହାନ୍ତି। କେନ୍ଦ୍ର ମନ୍ତ୍ରୀମାନେ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ରାଜ୍ୟଗୁଡ଼ିକ ପରି କେନ୍ଦ୍ର ସରକାରଙ୍କର ରେଳବାଇକୁ ଛାଡ଼ିଲେ ଅନ୍ୟ କୌଣସି ସୂତ୍ରରେ ରାଜସ୍ବ ସଂଗ୍ରହ କରିବାର ବ୍ୟବସ୍ଥା ନାହିଁ। ରାଜ୍ୟରୁ କେନ୍ଦ୍ରୀୟ ଟିକସ ସଂଗ୍ରହ କରାଯାଇ କେନ୍ଦ୍ରର ପାଣ୍ଠି ସୃଷ୍ଟି ହୁଏ ଏବଂ ସବୁ ରାଜ୍ୟର ସମବିକାଶ ନିମିତ୍ତ ଏହି ପାଣ୍ଠିକୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବଣ୍ଟାଯାଏ। ତେବେ ଏହି ପାଣ୍ଠିର ବିନିଯୋଗ ରାଜ୍ୟରେ ଠିକ୍ ଭାବେ ହେଉଛି କି ନାହିଁ, କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସଚିବାଳୟରେ ବିଭାଗୀୟ ଅଧିକାରୀମାନଙ୍କୁ ଡାକି ସମୀକ୍ଷା କରିପାରିବେ।

ମାତ୍ର କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କେଉଁ କାର୍ଯ୍ୟକ୍ରମରେ କେଉଁ ବିଭାଗକୁ କେତେ ଟଙ୍କା ଦିଆଯାଇଛି, ତାହାର ଏକ ଚିଠା ସଂଗ୍ରହ କରି ଦଳୀୟ କର୍ମୀଙ୍କ ଗହଣରେ ରାଜ୍ୟ ସରକାର କେନ୍ଦ୍ରୀୟ ପାଣ୍ଠି ହଡ଼ପ କରୁଛନ୍ତି ବୋଲି ଉଦ୍ଭଟ ଯୁକ୍ତି ବାଢ଼ୁଛନ୍ତି। ଅପର ପକ୍ଷରେ ରେଳବାଇ ପାଣ୍ଠି କେନ୍ଦ୍ର ସରକାରଙ୍କ ନିଜସ୍ବ ହୋଇଥିଲା ବେଳେ ଓଡ଼ିଶାର ରେଳ ବିକାଶ ନିମତ୍ତ ଅର୍ଥ ବଣ୍ଟନରେ ପାତର ଅନ୍ତର କରୁଛନ୍ତି। ରାଜ୍ୟକୁ କୋଇଲା ରୟାଲିଟି ଦେବାରେ କେନ୍ଦ୍ର ଉଦାସୀନତା ଦେଖାଉଛି। ବିଭିନ୍ନ କ୍ଷେତ୍ରରେ ରହିଆସିଥିବା ରାଜ୍ୟର ଅନଗ୍ରସରତା ଦୂର କରିବା ନିମିତ୍ତ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କେନ୍ଦ୍ର ଶୁଣୁ ନାହିଁ। ବିଜେପିର ଏପରି ଓଡ଼ିଶା ବିରୋଧୀ ଆଭିମୁଖ୍ୟର ଜବାବ ଓଡ଼ିଶାବାସୀ ଦେଇଚାଲିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀରେ ୧୦୦୦ଲୋୟର ଫ୍ଲୋର ବସ୍ କିଣିବାରେ ସ୍କାମ: LG ସିବିଆଇ ଯାଞ୍ଚକୁ ଅନୁମୋଦନ: ଆମକୁ ଜଣେ ଶିକ୍ଷିତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦରକାର - ଆପ

Mon Sep 12 , 2022
ଏସ୍.ବାସ୍ତବ: ମଦ ଦୁର୍ନୀତିର ତଦନ୍ତର ସମ୍ମୁଖୀନ ହେଉଥିବା ଦିଲ୍ଲୀ ସରକାର ଏବେ ପୁଣି ଲୋୟର ଫ୍ଲୋର ବସ୍ କିଣିବାରେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଏଲଜି ଭି.କେ ସକ୍ସେନା ରବିବାର ଦିନ ଏହି ମାମଲାର ସିବିଆଇ ଯାଞ୍ଚକୁ ଅନୁମୋଦନ କରିଛନ୍ତି। ଏହି ଅଭିଯୋଗ ଦିଲ୍ଲୀ ପରିବହନ ନିଗମ (ଡିଟିସି) ମୁଖ୍ୟ ସଚିବ ନରେଶ କୁମାରଙ୍କ ଦ୍ୱାରା ଜୁନ୍ ୯ ରେ କରାଯାଇଥିଲା। ଏହି ଅଭିଯୋଗରେ ଦିଲ୍ଲୀର ପରିବହନ ମନ୍ତ୍ରୀ […]

You May Like

Pin It on Pinterest