ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ଦୀପାବଳି ଭେଟି- ଠିକା ନିଯୁକ୍ତିର ଯୁଗ ଶେଷ….

 ବାସ୍ତବ ବ୍ୟୁରୋ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟରେ ଥିବା ଚୁକ୍ତି ଭିତ୍ତିକ ଚାକିରୀ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ।

ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ନବୀନ୍‌ କହିଛନ୍ତି । ଏଥିସହିତ ବର୍ତ୍ତମାନ ଚାକିରୀରେ ଥିବା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ତେବେ ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ଏନେଇ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପରସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା ବାତ୍ୟା ମରୁଡି ଲାଗି ରହିଥିଲା । ଗରିବୀ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା।

ସେତେବେଳେ  ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ  ବହୁତ କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ?

ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ।” 

୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ  ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି। ଆଜି ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ସଶକ୍ତ ହେଉଛି। ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ ।

ସରକାରୀ  କର୍ମଚାରୀମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍‌ସପ୍ୟାରେନ୍‌ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ।”

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଭାଗୀୟ ମୁଖ୍ୟ ଦପ୍ତର ସମ୍ମୁଖରେ ଏକଜୁଟ ହୋଇ ଖୁସି ମନାଇଛନ୍ତି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦୀପାବଳିରେ ଝଲସିବ ରାଜଧାନୀ,ବାଣ ବିକ୍ରି ପାଇଁ ସରକାର ଦେଲେ ଅନୁମତି...

Sat Oct 15 , 2022
ବାସ୍ତବ ବ୍ୟୁରୋ : ଗତ ୨ ବର୍ଷ ହେବ କୋଭିଡ ପାଇଁ ଆଲୋକର ପର୍ବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହୋଇ ଆସୁଥିଲା। କିନ୍ତୁ ଏଥର ସବୁଆଡେ ବହୁ ଆଡମ୍ବରରେ ଦୀପାବଳି ପାଳନ କରାଯିବ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ କେଉଁଠାରେ ବାଣ ବଜାର ଖୋଲିବ ସେ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ […]

You May Like

Pin It on Pinterest