
ଭୁବନେଶ୍ୱର(ବାସ୍ତବ ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ସି-ତ୍ରଙ୍ଗକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି (ଗୁରୁବାର) ଜାରି କରିଛି ଏକ ବୁଲେଟିନ୍। ଆଇଏମ୍ଡି ଜାରି କରିଥିବା ବୁଲେଟିନ୍ ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୩ ଓ ୨୪ରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଓଡ଼ିଶାରେ ପବନ ବହିବାର ସମ୍ଭାବନା ରହିଛି।
୨୩ ଅକ୍ଟୋବରରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବାବେଳେ ଉପକୂଳ ଅଞ୍ଚଳରେ ବହିବାକୁ ଥିବା ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟରରେ ପହଞ୍ଚିବ।
ସେହିପରି ୨୪ ଅକ୍ଟୋବରରେ ସି-ତ୍ରଙ୍ଗ ପ୍ରଭାବରେ ଓଡ଼ିଶାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହି ଥିବାବେଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ହେବାର ସମ୍ଭାବନା ରହିଛି । ୨୪ ତାରିଖ ଭୋର ପରଠାରୁ ଉପକୂଳ ଓଡ଼ିଶାରେ କିଛି-କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିବା ବେଳେ ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସେପଟେ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତିମୂଳକ ଖବର। ଓଡ଼ିଶା ଉପରେ ଏହି ବାତ୍ୟାର ସେପରି କିଛି ପ୍ରଭାବ ପଡ଼ିବ ନାହିଁ। ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ୨୫ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ। ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପରେ ରହିବାର ସମ୍ଭାବନା ରହିଛି।
ବାତ୍ୟା ପ୍ରଭାବରେ ୨୧ ତାରିଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ଉଚିତ ନୁହେଁ। ଯେଉଁମାନେ ଯାଇଛନ୍ତି କୂଳକୁ ଫେରି ଆସିବା ଉଚିତ ।