
ବାସ୍ତବ ବ୍ୟୁରୋ: ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏସିଆ କପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି ଭାରତ । ଭାରତୀୟ ଫ୍ୟାନ୍ମାନଙ୍କୁ ଦୀପାବଳିର ଉପହାର ଦେଇଛି ଟିମ୍ ଇଣ୍ଡିଆ ।
ଖେଳ ଅତି ରୋମାଞ୍ଚକର ଥିଲା । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ୯୦ ହଜାର ଦର୍ଶକ ପହଞ୍ଚିଥିଲେ । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଟସ ଜିତି ପାକିସ୍ତାନଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା।
ପରେ ୧୬୦ ରନ୍ର ଟାର୍ଗେଟକୁ ଆଖି ଆଗରେ ରଖି ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ) ଓ କେଏଲ୍ ରାହୁଲ (ଉପ-ଅଧିନାୟକ) ୪ ରନ୍ ଲେଖାଏ କରି ଆଉଟ ହୋଇଥିଲେ। ସେମାନଙ୍କ ପରେ ଆସିଥିବା ବିରାଟ କୋହଲି ଅପରାଜିତ ୮୨ରନ୍(୫୩ବଲ୍, ୬ ଚୌକା, ୪ଛକା), ସୂର୍ଯ୍ୟକୁମାର ଯାଦବ ୧୫ ରନ୍, ଅକ୍ଷର ପଟେଲ ୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍(୩୭ ବଲ୍, ୧ ଚୌକା, ୨ ଛକା), ଦୀନେଶ କାର୍ତ୍ତିକ (ୱିକେଟ୍ କିପର) ୧ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧ ରନ୍ କରିଥିଲେ।
ତେବେ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ । କୋହଲି ୫୩ ବଲ୍ରେ ୮୨ ରନ୍ ମାରି ମ୍ୟାଚ୍ ଜିତାଇବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଟିମ୍ ପାଇଁ ଲଢ଼େଇ ଜାରି ରଖିଥିଲେ। ଆଉ ମ୍ୟାଚ୍ ଜିତିବା ପରେ ଖୁସୀରେ କାନ୍ଦି ପକାଇଥିଲେ କୋହଲି।



