
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ସମ୍ବିତ୍ ପାତ୍ର ନୂଆଦିଲ୍ଲୀ ଠାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି,ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପରିପେକ୍ଷୀରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଧାମନଗରରେ ନିୟମ ଉଲ୍ଲଘଂନ କରୁଥିବା କର୍ମଚାରୀ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅପରାଧୀମାନଙ୍କୁ ଅଭୟ ଦେଉଛନ୍ତି । ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଟଙ୍କା ବଣ୍ଟାଯିବା ନେଇ ବିଜେପି ତରଫରୁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବାରମ୍ବାର ପ୍ରମାଣ ଦେବା ପରେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଧାମନଗର ନିର୍ବାଚନ ମଣ୍ଡଳୀରେ ସରକାରୀ କଳର ବ୍ୟାପକ ଦୁରୂପଯୋଗ ପରିଲକ୍ଷିତ ହୋଇଛି । ବିଶେଷ ଭାବରେ ଜିଲ୍ଲାପାଳଙ୍କ ପରୋକ୍ଷ ନିୟନ୍ତ୍ରଣରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତରାଜ ବିଭାଗ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଗୁଡ଼ିକ ରାଜ୍ୟ ସରକାରଙ୍କ ହାତବାରିସି ସାଜିଛନ୍ତି ।
ଧାମନଗର ଉପନିର୍ବାଚନ ଜିତିବା ପାଇଁ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରୁଥିବା ଦୁଇଟି ସମ୍ବେଦନଶୀଳ ଭିଡ଼ିଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଭିଡ଼ିଓ ଆଧାରରେ ବିଜେପି ସ୍ଥାନୀୟ ନିର୍ବାଚନ ଅଧିକାରୀ ଓ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଜନୈକ ମହିଳା ପଇସା ବାଣ୍ଟିବା ନେଇ ମଧ୍ୟ ବିଜେପି ପ୍ରମାଣ ଦେଇଥିଲା । ଏହାସହ,ସଭା ସମିତିରେ ଶାସକ ଦଳର ନେତାମାନେ ସବୁ ସୀମାର ଉଲ୍ଲଂଘନ କରି ପଞ୍ଚାୟତକୁ ଏକ କୋଟି ଟଙ୍କାର ପ୍ରଲୋଭନ ଦେଖାଇଥିଲେ । ଏହା ସତ୍ତ୍ୱେ ଅଭିଯୋଗର ସତ୍ୟାସତ୍ୟାକୁ ନେଇ ନିର୍ବାଚନ ଅଧିକାରୀମାନେ ପ୍ରଶ୍ନ କରିଥିଲେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆକ୍ରୋଶମୂଳକ ଭାବେ ଗଣମାଧ୍ୟମରେ ପ୍ରସାରିତ ଟଙ୍କା ବଣ୍ଟାଯିବା ଭିଡିଓ ପ୍ରମାଣର ସତ୍ୟତା ନଥିବା କଥା କହୁଛନ୍ତି । ଫୋରେନସିକ୍ ପ୍ରମାଣ ନାଁରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଯାଉଛି । ଏହାର ଅର୍ଥ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ କାମରେ ନିୟୋଜିତ କର୍ମଚାରୀ ମାନଙ୍କୁ ପରୋକ୍ଷରେ ଅଭୟ ବାଣୀ ଦେଉଛନ୍ତି । ତାଙ୍କର ମନ୍ତବ୍ୟ ଦୁର୍ନୀତି ଓ ପଇସା ବଣ୍ଟାରେ ଲିପ୍ତ ଶାସକ ଦଳର କର୍ମୀଙ୍କୁ ଆହୁରି ଦୁର୍ନୀତି ଓ ଟଙ୍କା ବାଣ୍ଟିବା ପାଇଁ ପ୍ରବର୍ତ୍ତାଉଛି । ଗଣତନ୍ତ୍ରର ରକ୍ଷକ ଆଜି ଭକ୍ଷକ ସାଜିଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପଞ୍ଚାୟତ ବିଭାଗର ସଚିବ ଅଛନ୍ତି । ଏଠାରେ କନଫିଲଫକ୍ଟ୍ ଅଫ୍ ଇନଟ୍ରେଷ୍ଟ କଥା ଆସୁଛି । ତେଣୁ ସେ କିପରି ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି ।