
ସଂଜୟ ଶତପଥୀ(କଟକ): ପବିତ୍ର ଗୋପାଷ୍ଟମୀ ଉତ୍ସବରେ କଟକ ନଗର ବିଶ୍ବନାଥ ଗୋପାଳ ସମିତି ପକ୍ଷରୁ କଟକର ଚଉଧୁରୀବଜାରସ୍ଥିତ ଆଧ୍ୟାତ୍ମିକ ମଣ୍ଡପ ମାରୁତି ମଣ୍ଡପଠାରେ ସମିତିର ସଭାପତି ଶ୍ରୀ ପ୍ରଦୀପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ପବିତ୍ର କାର୍ଯ୍ୟକ୍ରମରେ ଚଉଧୁରୀ ବଜାର ପୁଜା କମିଟିର ସଭାପତି ଶ୍ରୀ ଦେବାଶିଷ ରାୟ ମୂଖ୍ୟ ଅତିଥି ଓ ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋମାତାଙ୍କ ପୁଜାର୍ଚ୍ଚନା କରିବା ସହ ହିନ୍ଦୁ ଧର୍ମର ସୁରକ୍ଷା ଲାଗି ପୂଜ୍ୟ ଗୋମାତାଙ୍କୁ ସୁରକ୍ଷା ଦେବାକୁ ସମସ୍ତ ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ନିବେଦନ କରିଥିଲେ। ହିନ୍ଦୁ ଧର୍ମାବଲମ୍ବୀ ମାନେ ପୂଜ୍ୟ ଗୋମାତାଙ୍କୁ ପୂଜା କରୁଥିଲା ବେଳେ ବିଧର୍ମୀମାନେ ଗୋଚାଲାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବିଷୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସମିତିର ସମ୍ପାଦକ ଶ୍ରୀ ମହେଶ୍ୱର ବେହେରା ଏହାକୁ ଘୋର ନିନ୍ଦା କରିବା ସହ ସରକାର କଡ଼ା ପଦକ୍ଷେପ ନେବାକୁ ନିବେଦନ କରିଥିଲେ।
ଏହି ପବିତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ସମିତିର ଉପସଭାପତି ଶ୍ରୀ ବିଷ୍ଣୁ ବେହେରା, କୋଷାଧ୍ୟକ୍ଷ ଶ୍ରୀ କୈଳାସ ବେହେରା ଯୋଗଦେଇ ଗୋପୂଜନ ଲାଗି ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଗୋପୂଜନରେ ସହାୟତା କରିଥିଲେ।ଏହି ଉତ୍ସବ ପାଳନ ଅବସରରେ ଚଉଧୁରୀବଜାର କେଉଟସାହି ଶ୍ରୀରାଧା କୃଷ୍ଣଙ୍କ ଚଳନ୍ତି ବିଗ୍ରହ ବିମାନରେ ଲଉଡି ନୃତ୍ୟ ମୂଖ୍ୟ ସାଧବ ବେହେରାଙ୍କ ନେତୃତ୍ବରେ ଲଉଡି ନୃତ୍ୟ ପ୍ରଦର୍ଶନ ପୂର୍ବକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯାଇଥିଲା। ଅବଶେଷରେ ସମସ୍ତ ଗୋପ୍ରେମୀ ମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।



