
ବାସ୍ତବ ବ୍ୟୁରୋ : ୭୫୪୦ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟିଜିଟି (କଳା), ପିଜିଟି (ପିସିଏମ୍ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।
ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। ୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବିଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି।