
ନମିତା କୁଅଁର(ଭୁବନେଶ୍ବର): ‘ଓଡ଼ିଶା ଡ୍ରାଇଭର ମହାସଂଘ’ର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଦଫା ସମ୍ବଳିତ ନିଜର ଦାବି ସଂପର୍କରେ ଜଣାଇଛନ୍ତି। ମହାସଂଘ ପକ୍ଷରୁ ପ୍ରାୟ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ନବୀନ ନିବାସରେ ପହଞ୍ଚି ଦାବି ପତ୍ର ଦିଆଯାଇଛି।
ପୂର୍ବରୁ ରାଜଧାନୀକୁ ଧସେଇ ପଶୁଥିବା ଡ୍ରାଇଭରମାନେ ଗତ ତିନିଦିନ ପୁର୍ବେ ରାଜଧାନୀରେ ଦଣ୍ଡବତ ଯାତ୍ରା କରି ଭୁବନେଶ୍ଵରରେ ପହଞ୍ଚି,ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦାବି ପୂରଣ ପାଇଁ ଅନୁରୋଧ କରିବାର ସଂକଳ୍ପ ଆଜି ପୁରଣ ହୋଇଛି । ଏକ ତିନିଜଣିଆ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ, ଦାବିପତ୍ର ପ୍ରଦାନ କରିଥିଲେ । ଆସନ୍ତା ବିଧାନସଭା ଅଧିବେଶନ ପରେ ତୁମ ମାନଙ୍କର ଦାବି ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶୃତି ଦେଇଛନ୍ତି ବୋଲି, ଓଡ଼ିଶା ଡ୍ରାଇଭର ସଂଘର ସଭାପତି ଆମ ପ୍ରତିନିଧିଙ୍କୁ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ମାସରେ ଏସମସ୍ତ ଦାବି ନେଇ ମହାସଂଘର ହଜାର ହଜାର ଡ୍ରାଇଭର ରାଜଧାନୀରେ ଶୋଭାଯାତ୍ରା କରି ରାସ୍ତାଘାଟ ଜାମ୍ କରିଥିଲେ। ପୁଣି ଥରେ ଚଳିତ ବର୍ଷ ଏପ୍ରିଲ ମାସରେ ସେମାନେ ହାତରେ ଠେଙ୍ଗା ବାଡ଼ି ଧରି ରାଜଧାନୀରେ ପଶିଥିଲେ। ଫଳରେ ରାଜଧାନୀରେ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

ଦିନତମାମ୍ ସହରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ହୋଇପଡ଼ିଥିଲା। ସେମାନେ କିଛି ସ୍ଥାନରେ ହିଂସାତ୍ମକ ଆଚରଣ ମଧ୍ୟ କରିଥିଲେ। ତେବେ ବିଧାନସଭା ଆଡ଼କୁ ଯିବା ସମୟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଫଳରେ ସେଦିନ ଲୋୟର ପିଏମ୍ଜି ରଣକ୍ଷେତ୍ର ପାଲଟିଥିଲା। ଡେରିରେ ହେଉପଛେ ଡ୍ରାଇଭର ମାନଙ୍କ ଦୁଃଖ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି । ଶିତ ଅଧିବେଶନ ପରେ ଫଳ କଣ ହେଉଛି ଦେଖିବାକୁ ରହିଲା ।