ବାସ୍ତବ ବ୍ୟୁରୋ: ଜରୁରୀ ସେବା ପାଇଁ ଜାରୀ ହୋଇଥିବା ୧୦୮ନମ୍ବରକୁ ବାରମ୍ୱାର ଆସୁଛି ଫେକ୍ କଲ୍ । ଏନେଇ ଅଭିଯୋଗ କଲାପରେ ବି ସୁଧୁରୁ ନାହାଁନ୍ତି ଲୋକେ । ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ ହଇରାଣ କରୁଛନ୍ତି ।
ପ୍ରତିଦିନ ଫେକ୍ କଲ୍ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି । ଏପରିକି ବହୁ ସମୟରେ ଛୋଟ ଛୋଟ ପିଲା ବି ଅଯଥାରେ ଫୋନ୍ କରି ଲାଇନ୍ ବ୍ୟସ୍ତ ରଖୁଛନ୍ତି। ଏମିତିକି ବହୁ ସମୟରେ ଆମ୍ବୁଲାନ୍ସ ଯାଇ ଫେରିକି ଆସୁଛି । ଏନେଇ ବାରମ୍ବାର ପୁଲିସ୍ରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି।
ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ପ୍ରତିଦିନ ୧୦୮ନମ୍ବରକୁ ମୋଟ ୧୦ ହଜାରରୁ ଅଧିକ କଲ୍ ଆସୁଥିବା ବେଳେ ସେଥିରୁ କେବଳ ୭ ଶହ ଫେକ୍ କଲ୍ ଆସୁଛି ।
ଜରୁରୀ ସେବା ପାଇଁ ଜାରୀ ହୋଇଥିବା ୧୦୮ ଟେଲି ନମ୍ବର ସେବା ଯୋଗାଇ ଦେବାକୁ କର୍ମଚାରୀମାନେ ୨୪ ଘଣ୍ଟା କର୍ମଚାରୀ କାମ କରୁଛନ୍ତି। ହେଲେ କିଛି ଅସାମାଜିକ ଲୋକ ନିଜର ଖୁସି ପାଇଁ ଫୋନ୍ କରି ଏହି ନମ୍ବରକୁ ଅପବ୍ୟବହାର କରୁଛନ୍ତି । ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଲି ଗୁଲଜ୍ କରି ମଜା ନେଉଛନ୍ତି । ଏହା ଦିନେ କି ଦୁଇ ଦିନର ଘଟଣା ନୁହେଁ ବରଂ ପ୍ରତିଦିନ ଏପରି ଘଟଣା ଘଟୁଛି । ଏପରି ଦ୍ୱାରା ମୁଖ୍ୟତଃ ଲାଇନ୍ ବ୍ୟସ୍ତ ରହୁଥିବା ବେଳେ ଯେଉଁମାନେ ପ୍ରକୃତ ରୋଗୀ ସେମାନେ ସେବାରୁ ବଞ୍ଚିତ ରହୁଛନ୍ତି।



