
ସଂଜୟ ଶତପଥୀ(କଟକ): ଶ୍ରମିକର କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବି ଜିଲ୍ଲା ଶ୍ରମ ଅଧିରୀଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା ।ସମ୍ମାନ ଓ ଆନୁଗତ୍ୟର ସହିତ ସହୃଦୟ ସହଯୋଗ ଓ ଆଶୁ ପଦକ୍ଷେପ କାମନା କରି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଆଜି କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
କଟକ ସଦର ଥାନା ଅନ୍ତର୍ଗତ କଟକ ମହାନଗର ନିଗମ ୫୭ ୱାର୍ଡ ଅଧୀନ ଗୋପାଳପୁରସ୍ଥିତ ବି.ପି. ଏଣ୍ଟରପ୍ରାଇସ ପ୍ରାଇଭେଟ ଲିମିଟେଡ (ଆଲୁମିନିୟମ କମ୍ପାନୀ ନାମରେ ପରିଚିତ) କମ୍ପାନୀରେ ବାଲିକୁଦା ଅଞ୍ଚଳରେ ରହିଆସୁଥିବା ସୁନିଲ ବେହେରା ନାମକ ଜଣେ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ୨୦୨୩ ମସିହା ମେ’ ୫ ତାରିଖ ଦିନ କମ୍ପାନୀର ମେସିନ ସଂସ୍ପର୍ଶରେ ଆସି ଦୁର୍ଭାଗ୍ୟଜନକ ତାଙ୍କର ଡାହାଣ ହାତର ମଣିବନ୍ଧ (Wrist ଠାରୁ) ଦୁର୍ଘଟଣାବଶତଃ କଟିଯିବା ପରେ ସେ ଅକ୍ଷମ ହୋଇଗଲେ କିନ୍ତୁ କମ୍ପାନୀ ମାଲିକ, ପରିଚାଳକ ପୀଡିତ ଶ୍ରମିକଙ୍କ କେବଳ ଚିକିତ୍ସା ଖର୍ଚ୍ଚ ବହନ କରି ଶ୍ରମିକ ମାରଣା ନୀତି ଆପଣେଇଛନ୍ତି ।
ଏପରି ଏକ ସଂବେଦନଶୀଳ/ସ୍ପର୍ଶକାତର ଓ ଦୁଃଖଦାୟକ ଘଟଣାକୁ ଖାମଖିଆଲି ଭାବେ ନେଇ ପୀଡିତ ଓ ଅକ୍ଷମ ହୋଇଥିବା ଶ୍ରମିକ ସୁନୀଲକୁ ଉକ୍ତ ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ଦେବା ଦୂରର କଥା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା କିମ୍ବା କ୍ଷତିପୂରଣ ପ୍ରଦାନ କରିନାହାନ୍ତି ଯାହା ଫଳରେ ତାଙ୍କର ପିତାମାତା ମାନସିକ ନିର୍ଯାତନା ଓ ଅତି ଦୟନିୟ ଅବସ୍ଥାରେ ଭେଣ୍ଡିଆ ପୁଅର ଅକ୍ଷମତା ଯୋଗୁଁ ଭୋକ ଉପାସ ରହି ମୁଣ୍ଡରେ ହାତ ଦେଇ ବସିଛନ୍ତି । କମ୍ପାନୀ କତୃପକ୍ଷଙ୍କୁ ପୀଡିତଙ୍କ ପରିବାର ଯେତେ ନେହୁରା ଓ ଗୁହାରି ହୋଇଥିଲେ ମଧ୍ଯ କୌଣସି ପ୍ରକାର ସହାୟତା ଓ ପୀଡିତଙ୍କୁ ପୁନଃ ନିଯୁକ୍ତି ନଦେବା ଅତି ଦୁର୍ଭାଗ୍ୟଜନକ ଓ ପରିତାପର ବିଷୟ ହୋଇଥିବାରୁ ଏହାର ପରିଷଦ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଘଟଣାକୁ ଶ୍ରମ ଅଧିକାରୀ ଗୁରୁତ୍ବର ଓ ଗମ୍ଭୀରତାର ସହିତ ବିଚାରକରି ବିଧିବଦ୍ଧ ସରଜମିନ,ତଦନ୍ତ କରି କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପୀଡିତକୁ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ସେଠୀ ସୂଚନା ଦେବା ସହିତ ଧାରଣା ଉଠିଥିଲେ । ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ପରିଷଦର ଉପଦେଷ୍ଠା ନିମାଇଁ ଜେନା, ରବୀନ୍ଦ୍ର ବେହେରା, ବସନ୍ତ କୁମାର ମହାନ୍ତି, ଅଶୋକ କୁମାର ମଲ୍ଲିକ, ପ୍ରମୋଦ ବେହେରା, ରୀତାଞ୍ଜଳି ଜେନା, ଟିକିଲି ଦେହୁରୀ, ରାନୁ ନାୟକ, ବାଜି ମଲ୍ଲିକ, ତାପସରଞ୍ଜନ ମଲ୍ଲିକ, ସରୋଜ ମଲ୍ଲିକ, ବାବୁଲି ମଲ୍ଲିକ, ବୁଲୁ ମଲ୍ଲିକଙ୍କ ସମେତ ପୀଡିତ ଶ୍ରମିକ ସୁନୀଲ ବେହେରାଙ୍କ ପିତାମାତା ଉପସ୍ଥିତ ଥିଲେ ।



