ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ:ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ କାହା ସ୍ୱାର୍ଥରେ ବାଧା ସୃଷ୍ଟି କରିବ ?

ପୁରୀ : ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ କାହିଁକି ?ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ କାହା ସ୍ୱାର୍ଥରେ ବାଧା ସୃଷ୍ଟି କରିବ ? ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ ଦେଖାଦେଇଛି।ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି। ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ବିରୋଧ ଆଗରେ ମୁଣ୍ଡ ନୂଆଇଁଛି ପ୍ରଶାସନ ।

ସୂଚନାନୁଯାୟୀ, ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଦାନ କରିବା ସମ୍ଭବ ହେଉନି। ଭକ୍ତ ମାନଙ୍କ ଆଗ୍ରହ ଥି‌ଲେ ବି ଭିଡ଼ ଭିତରେ ଶ୍ରୀମନ୍ଦିର ଭିତରକୁ ଯାଇ ଦାନ କରିବା ଏମାନଙ୍କ ପକ୍ଷେ ସମ୍ଭବ ହୋଇ ପାରୁନାହିଁ ।ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଏସ୍‌ବିଆଇ ମିଳିତି ଉଦ୍ୟମରେ ଇ-ହୁଣ୍ଡିର ସୁବିଧା ଆରମ୍ଭ କରିବାକୁ ଯୋଜନା ହୋଇଥିଲା ।

ଏଥିପାଇଁ ଏସ୍‌ବିଆଇ କ୍ୟୁଆର୍‌ କୋଡ୍‌ର ବ୍ୟବସ୍ଥା କରିଥିଲା। ଏହି କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଭକ୍ତ ଯେତେ ପରିମାଣର ଟଙ୍କା ଦାନ ସୂତ୍ରରେ ଦେବାକୁ ଚାହୁଁଥିବେ, ସେତେ ପରିମାଣର ଟଙ୍କା ଦେଇ ପାରିବାର ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ଅଳ୍ପ ଟଙ୍କା ଦାନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ଭକ୍ତମାନେ ଏହାଦ୍ବାରା ଉପକୃତ ହୋଇପାରିଥାନ୍ତେ। ଏହି ଦାନ ଅର୍ଥ ଶ୍ରୀମନ୍ଦିର ପ୍ରଶାସନ ଦାନ ଆକାଉଣ୍ଟରେ ସିଧାସଳଖ ଜମା ହେବାର ବ୍ୟବସ୍ଥା କରାଯାଇଥିଲା। ସେହି ଅନୁଯାୟୀ ଶୁକ୍ରବାର ଦିନ ଶ୍ରୀମନ୍ଦିର ସିଂହଦ୍ବାରରେ ଭବ୍ୟ ସଭା ସହ ବ୍ୟାପକ ଆୟୋଜନ କରାଯାଇଥିଲା।

ଶୁକ୍ରବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଏସ୍‌ବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏହି କ୍ୟୁଆର କୋଡ୍‌ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ସହ ସମସ୍ତ ଆୟୋଜନ ଶେଷ ପରେ ହଠାତ୍‌ ସେବାୟତଙ୍କ ମହଲରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଜିଲ୍ଲାପାଳ ବି ଏହି କାର୍ଯ୍ୟକ୍ରମକୁ ଆସିବାକୁ ସହମତି ପ୍ରକାଶ କରିନଥିଲେ। ତେଣୁ ଏହି ମହତ କାର୍ଯ୍ୟକୁ ବାତିଲ୍‌ କରି ଦିଆଯାଇଥିଲା।

ଏ ସମ୍ପର୍କରେ ଏସ୍‌ବିଆଇ ପୁରୀର ମୁଖ୍ୟ ମହାପ୍ରବନ୍ଧକ ବିଜୟ ଶତପଥୀ କହିଛନ୍ତି, ଆଜି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାର ଥିଲେ ବି ଶେଷ ମୁହୂର୍ତ୍ତରେ ତ୍ରୁଟି ପରିଲକ୍ଷିତ ହେବାରୁ ବାତିଲ୍‌ କରାଯାଇଛି। ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରରେ ଲାଗୁ ହେବ ସତ, କିନ୍ତୁ ଉପଯୁକ୍ତ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ବୋଲି ଶ୍ରୀ ଶତପଥୀ କହିଛନ୍ତି।ହେଲେ ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଏହା ଆମେ ଜାଣିନଥିଲୁ। ଏସ୍‌ବିଆଇ ନିଜ ତରଫରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

ଏବେ ଏହା ଚର୍ଚାର ବିଷୟ ହୋଇଛି ଯେ,କିଏ ସତ କହୁଛି ? କାହିଁକି ଏପରି ମହତ କାର୍ଯ୍ୟକୁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ସେବାୟତ ବିରୋଧ କଲେ ? ସାଧାରଣ ଭକ୍ତଙ୍କ ମନରେ ପ୍ରଶ୍ନ ତେବେ କଣ ମହାପ୍ରଭୁଙ୍କ ହୁଣ୍ଡୀକୁ ଆସୁଥିବା ସମସ୍ତ ଅର୍ଥରାଶିରେ ବାଟମାରଣା ହୁଅ କି ? ଜଣେ ଭକ୍ତଙ୍କ ମତରେ ଏ ସମସ୍ତ ପ୍ରଶ୍ନର ଉତ୍ତର କେବଳ ମହାପ୍ରଭୁ ହିଁ ଦେଇ ପାରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୁପା ଚାଦର ରେ ଢଙ୍କାଯିବ ଗରୁଡ଼ ସ୍ତମ୍ଭ....

Sat Nov 19 , 2022
ବାସ୍ତବ ବ୍ୟୁରୋ: ପତଳା ହେଉଛି ଗରୁଡ଼ ସ୍ତମ୍ଭ । ବର୍ଷ ବର୍ଷ ଧରି ଦୂରଦୂରାନ୍ତର ଭକ୍ତ ଶ୍ରୀମନ୍ଦିରକୁ ଆସି ପ୍ରଥମେ ଗରୁଡ ସ୍ତମ୍ବକୁ ସ୍ପର୍ଷ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଛନ୍ତି। ଭକ୍ତ ମାନେ ଗରୁଡ ସ୍ତମ୍ବକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ବଟିର ସ୍ଥାୟିତ୍ବ ପ୍ରତି ବିପଦ ଦେଖାଦେଇଛି । ସୂଚନା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ତିଆରି। ଏଣୁ […]

You May Like

Pin It on Pinterest