
ବାସ୍ତବ ବ୍ୟୁରୋ: ଆଜି (ସୋମବାର) ଅପରାହ୍ନରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଦେଶର ମୁଖ୍ୟ ସହର ଜାଭା ଦ୍ୱୀପରେ ଏହି କମ୍ପନ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଛି। ଏଥିରେ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ ଜଣ ଆହତ ହୋଛନ୍ତି। ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ରାସ୍ତାଘାଟ ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ ଅଫିସ ଭୁଶୁଡ଼ି ପଡ଼ିଥିବାରୁ ବହୁ ଲୋକେ ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି ।
ଜାକର୍ତ୍ତାଠାରୁ ୭୫ କିମି ଦୂର ଦକ୍ଷିଣରେ ଅବସ୍ଥିତ ସିଆଞ୍ଜୁର ଭୂକମ୍ପର କେନ୍ଦ୍ରସ୍ଥଳ ଜଣାପଡ଼ିଛି । ତେବେ ସୁନାମି ଆଶଙ୍କା ନଥିବା ପାଣିପାଗ ଏବଂ ଜିଓଫିଜିକ୍ସ ଏଜେନ୍ସି ପକ୍ଷରୁ କୂହାଯାଇଛି। ଏକ ବିବୃତ୍ତିରେ ଜାତୀୟ ବିପର୍ଯ୍ୟୟ ଏଜେନ୍ସି କହିଛି ଯେ, ଏହି ଅଞ୍ଚଳର ଅନେକ ଘର ଏବଂ ଏକ ଇସଲାମିକ୍ ବୋର୍ଡିଂ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି।
ସ୍ଥାନୀୟ ଗଣମାଧ୍ୟମ ମେଟ୍ରୋ ଟିଭିର ଫୁଟେଜରୁ ଜଣାପଡିଛି ଯେ, ସିଆଞ୍ଜୁରରର କିଛି ଅଟ୍ଟାଳିକା ସମ୍ପୁର୍ଣ୍ଣ ଭାବରେ ଧୂଳିସାତ୍ ହୋଇଯାଇଛି। ଲୋକେ ଭୟରେ ବାହାରକୁ ଆସି ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।