
ସଂଜୟ ଶତପଥୀ(କଟକ):ଆଜି କଟକ ମହାନଗର ନିଗମ ପକ୍ଷରୁ କଟକର ମଲାଚଣ୍ଡିଆ ଛକ ଠାରୁ ବାଦାମବାଡ଼ି ଛକ ପର୍ଯ୍ୟନ୍ତ ଉଠାଦୋକାନୀ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିଜର ପେଟ ଚାଖଣ୍ଡକ ଲାଗି ରାସ୍ତା କଡ଼ରେ ନିଜର ବେପାର ପସରା ଖୋଲିଥିବା ବହୁତ ଗରୀବ ଲୋକମାନେ ଏହି କାର୍ଯ୍ୟକ୍ରମରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।
ଆଗକୁ ହେବାକୁ ଥିବା ବିଶ୍ବକପ୍ ହକି ଖେଳ, ବାଦାମବାଡ଼ି ବସଷ୍ଟାଣ୍ଡର ନବୀକରଣ ଏବଂ କଟକ ସହରରେ ୪ ଲେନ୍ ରାସ୍ତା ପରିପ୍ରେକ୍ଷୀରେ ଏହି ଉଚ୍ଛେଦ ବୋଲି ନିଗମର କିଛି କର୍ମଚାରୀଙ୍କ ମତ। କଟକ ସହରର ବହୁ ବୁଦ୍ଧିଜୀବୀ, ବୟସ୍କ ବ୍ୟକ୍ତିମାନଙ୍କ ମତରେ ଆଗରୁ ପ୍ରତି ସାହିରେ ୬ ଚକିଆ ବାଲିଟ୍ରକ ଆସୁଥିବା ବେଳେ ବର୍ତ୍ତମାନ ଆମ୍ବୁଲାନ୍ସ, ଦମକଳ ଆସିବାରେ ଅସୁବିଧା ହେଉଛି। ଏହାର କାରଣ ନିଗମର ଜ୍ଞାତସାରରେ ଥିବା ଯଥା ପ୍ରତି ସାହି ମଧ୍ୟ ଦେଇ ଯାଇଥିବା ନାଳର ଦୁଇ ପାର୍ଶ୍ଵ,ନାଳ ଉପରେ ମାଳମାଳ ଫାଷ୍ଟଫୁଡ୍ ଦୋକାନ,ନାଳ ଜବରଦଖଲରେ,କିନ୍ତୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ।
ଯେଉଁ କ୍ଷମତାଶାଳୀ, ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ସରକାରୀ ଜାଗାକୁ ଜବରଦଖଲ କରି ନିଜ ନିଜର ବ୍ୟକ୍ତିଗତ ବ୍ୟବସାୟ, ବାସଗୃହ କରିଛନ୍ତି ସେମାନଙ୍କୁ ପ୍ରଥମେ ନିଗମ ଉଚ୍ଛେଦ କରି ଏକ ଉଦାହରଣ ସୃଷ୍ଟି କରିବାକୁ ଜନସାଧାରଣରେ ଦାବି ହେଉଛି। ନିର୍ବାଚନ ପୂର୍ବରୁ ବାସହୀନମାନଙ୍କୁ ବାସଗୃହ ଯୋଗାଇ ଦେବାର ପ୍ରତିଶୃତି କୁଆଡେ ଗଲା ବୋଲି ମତଦାତା ବସ୍ତିବାସିନ୍ଦା ପ୍ରଶ୍ନ କରିଛନ୍ତି।ଆଗ କଟକିଆ ଙ୍କୁ ଥଇଥାନ କରି ତା’ପରେ ଉଚ୍ଛେଦ କରିବାକୁ କଟକର ବହୁ ବୟସ୍କ କଟକିଆମାନେ ନିଗମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।



