
ନିହାର ପରିଡା(କେନ୍ଦ୍ରାପଡା):୦୮/୦୨ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତଙ୍କ ୧୨୨ ତମ ଜୟନ୍ତୀ କେନ୍ଦ୍ରାପଡା ସହରର ଅର୍ବାନ୍ ବ୍ୟାଙ୍କ ପାର୍ଶ୍ଵ ପ୍ରତିମୂର୍ତ୍ତି ସ୍ଥଳରେ ପାଳିତ ହୋଇ ଯାଇଛି।
କୁନ୍ତଳା କୁମାରୀ ସାବତ ପ୍ରତିଭା ପୂଜା ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ତଥା ରାଜଶ୍ରୀ ଓ ଉତ୍କଳ ଭାରତୀର ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଜନନାୟକ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନ୍ତଳା କୁମାରୀଙ୍କର ପୂର୍ଣ୍ଣାବୟବରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସମର୍ପଣ କରିଥିଲେ।

ଡକ୍ଟର କୁନ୍ତଳା କୁମାରୀ ନିଜ ସାହିତ୍ୟ ସୃଜନୀ ମାଧ୍ୟମରେ ତତ୍କାଳୀନ ନାରୀ ସମସ୍ୟା , ଭେଦଭାବ ଦୂରୀକରଣ , ପ୍ରକୃତି ଚିତ୍ରଣ ଏବଂ ବିଭୁଚେତନା ସମେତ ସ୍ଵତନ୍ତ୍ର ଉତ୍କଳ ଏବଂ ଦେଶର ସ୍ଵାଧୀନତା ଲକ୍ଷରେ ବୈପ୍ଳବିକ ଜାଗରଣ ସୃଷ୍ଟି କରି ଜଣେ ମହୀୟସୀ ଉଜ୍ଜ୍ୱଳ ନାରୀ ପ୍ରତିଭା ଭାବେ ଚିର ନମସ୍ୟା ହୋଇ ରହିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ।
ବିଶିଷ୍ଟ ପ୍ରବଚକ ମାନସଭୂଷଣ ହୃଷିକେଶ ରଥ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକାର ଡକ୍ଟର ବାସୁଦେବ ଦାସ , କବି ସତୀର୍ଥ ମନ୍ମଥ ନାଥ ବରାଳ , ଜିଲ୍ଲା ପରିଷଦ ସଦସ୍ୟ ରଶ୍ମିରଞ୍ଜନ ରାଉତ , ସଦସ୍ୟା ଲିଲିତା ଦାସ , ଯୁବନେତା ଦିଲ୍ଲୀପ କୁମାର ଦାଶ , ସମାଜସେବୀ ପ୍ରଦୀପ କୁମାର ନାୟକ ଏବଂ ସାମ୍ବାଦିକ ଶ୍ରୀମନ୍ତ ପଣ୍ଡା , ଅମରବର ବିଶ୍ଵାଳ ପ୍ରମୂଖ ନିଜ ବକ୍ତବ୍ୟରେ କୁନ୍ତଳା କୁମାରୀଙ୍କ ସାମଗ୍ରିକ ସାହିତ୍ୟିକ କୃତି ଏବଂ ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ।

ଇତ୍ୟବସରରେ ଅନୁଷ୍ଠାନ ତରଫରୁ ବରିଷ୍ଠ କବି ପ୍ରେମଲତା ଗିରିଙ୍କୁ ଉତ୍କଳ ଭାରତୀ ସାହିତ୍ୟ ସମ୍ମାନ ଅର୍ପଣ କରାଯାଇଥିବା ବେଳେ ମାନସଭୂଷଣ ହୃଷିକେଶ ରଥ, ଆଡଭୋକେଟ ବିଜୟ କୁମାର ପରିଡ଼ା, ପ୍ରକାଶ କୁମାର ଜେନା , ପୌର ପରିଷଦ ଡାଇରେକ୍ଟର ଅସୀମା ନାୟକ , ଦେବସ୍ମିତା ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଡଭୋକେଟ ପ୍ରଦୀପ ଦାଶ ସ୍ଵାଗତ ଭାଷଣ , କଣ୍ଠଶିଳ୍ପୀ ଗୋଲୋକ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ କୈଳାସ ଚନ୍ଦ୍ର ବାରିକ, ସମାଜ ସେବୀ ପ୍ରଭାତ କୁମାର ନାୟକ, ଅକ୍ଷୟ କୁମାର ତରାଇ, ଗୀତିକାର ରଞ୍ଜନ କୁମାର ଦଳାଇ ଏବଂ ସ୍ଵାଧୀନତା ସଂଗ୍ରାମୀ ସଂଘ ଉତ୍ତରାଧିକାରୀ ପଦ୍ମନାଭ ଦାସ ପ୍ରମୂଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।