ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ବିଜେପିର ପୁଣି ବାଜିମାତ୍, ମେଘାଳୟରେ ଝୁଲା ସ୍ଥିତି….

ନୂଆଦିଲ୍ଲୀ: ଦେଶର ତିନି ଉତ୍ତରପୂର୍ବ ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ, ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ମେଘାଳୟରେ ଝୁଲା ସ୍ଥିତି ଦେଖିବାକୁ ମିଳିଛି।

ଦୁଇଟି ରାଜ୍ୟରେ ମିଳିଥିବା ନିର୍ବାଚନୀ ସଫଳତା ପାଇଁ ତ୍ରିପୁରା ଓ ନାଗାଲାଣ୍ଡ୍‌ର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ମେଘାଳୟରେ ଦଳର ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହୋଇଥିବାରୁ ଭୋଟର୍‌ଙ୍କୁ କୃତଜ୍ଞତା ଜଣାଇବା ସହିତ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ। ଏହା ସହିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠାପର ପ୍ରୟାସକୁ ଭୂୟସୀ ପ୍ରଶଂସା ମଧ୍ଯ କରିଛନ୍ତି।

ନାଗାଲାଣ୍ଡ୍‌ରେ ଏନ୍‌ଡିପିପି-ବିଜେପି ମେଣ୍ଟର ସଫଳତା ପରେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିବା ବେଳେ ମେଘାଳୟର ବିଜେପି ସଭାପତି ଅର୍ନେଷ୍ଟ୍‌ ମୋରି ରାଜ୍ୟରେ ବିଜେପି ସହଯୋଗରେ ସରକାର ଗଠନ ହେବ ବୋଲି ଦାବି କରିଛନ୍ତି। ମେଘାଳୟରେ କନ୍‌ରାଡ଼ ସାଙ୍ଗମାଙ୍କ ନେସ୍‌ନାଲ ପିପୁଲ୍ସ ପାର୍ଟି ଓ ବିଜେପି ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ତ୍ରିପୁରାରେ ୬୦ ଆସନରୁ ବିଜେପି ମେଣ୍ଟ ୩୩ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ-ବାମ ମେଣ୍ଟ ୧୪ ଆସନ ହାସଲ କରିଛନ୍ତି। ଏଥିରେ ସିପିଏମ୍‌ର ୧୧ ଆସନ ଏବଂ କଂଗ୍ରେସର ୩ ଆସନ ରହିଛି।

ତ୍ରିପୁରାରେ ବିଜେପିର ମେଣ୍ଟ ସହଯୋଗୀ ଆଇପିଏଫ୍‌ଟି ଗୋଟିଏ ଆସନରେ ଜିତିଛି। ନୂଆ ଦଳ ଟିଏମ୍‌ପି ୧୩ ଆସନରେ ବିଜୟୀ ହୋଇ ରାଜ୍ୟ ରାଜନୀତିରେ ନୂଆ ଅଧ୍ୟାୟ ସୃଷି କରିଛି। ଅନ୍ୟପକ୍ଷେ ଟିଏମ୍‌ସି ତ୍ରିପୁରାରେ ଖାତା ଖୋଲିପାରିନି।

ନାଗାଲାଣ୍ଡ୍‌ରେ ୬୦ ଆସନରୁ ଏନ୍‌ଡିପିପି-ବିଜେପି ମେଣ୍ଟ ୩୭ ଆସନ ହାସଲ କରି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ନାଗାଲାଣ୍ଡରେ ଏନ୍‌ଡିପିପି ୪୦ ଆସନ ନିର୍ବାଚନ ଏବଂ ବିଜେପି ୨୦ ଆସନରେ ନିର୍ବାଚନ ଲଢ଼ିଥିଲା। ରାଜ୍ୟରେ ଏନ୍‌ପିଏଫ୍‌କୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନାହିଁ।

ମେଘାଳୟରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନାହିଁ ତେଣୁ ତ୍ରିଶଙ୍କୁ ସ୍ଥିତି ଉପୁଜିଛି। ୬୦ ଆସନରୁ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନ୍‌ପିପି ୨୬ ଆସନରେ ବିଜୟୀ ହୋଇଛି। ୟୁଡିପି (ୟୁନାଇଟେଡ୍‌ ଡିମୋକ୍ରାଟିକ ପାର୍ଟି) ୧୧ ଆସନ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି। କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟି ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଟିଏମ୍‌ସି ୫ଟି ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। ଅନ୍ୟମାନଙ୍କୁ ୨୧ଟି ଆସନ ମିଳିଛି। ମେଘାଳୟ ମୁଖ୍ୟମନ୍ତ୍ରୀ ସାଙ୍ଗମା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରି ରାଜ୍ୟରେ ସରକାର ଗଠନ ପାଇଁ ବିଜେପିର ସହଯୋଗ ଲୋଡ଼ିଛନ୍ତି। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ମେଘାଳୟରେ ଏନ୍‌ପିପି-ବିଜେପି ମଧ୍ୟରେ ପୁଣି ମେଣ୍ଟ ସରକାର ଗଠନ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭିଜିଲାନ୍ସ ଜାଲରେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଜେନା...

Fri Mar 3 , 2023
ପ୍ରମୋଦ ନାୟକ(ଭୁବନେଶ୍ବର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏହାଛଡ଼ା କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି।ଭୁବନେଶ୍ୱରରେ ତାଙ୍କର ପାଞ୍ଚଟି […]

You May Like

Pin It on Pinterest